କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନାବାଳିକା କଲେଜ ଛାତ୍ରୀଙ୍କ ରହସ୍ୟଜନକ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।
ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଛାତ୍ରୀ ଜଣକ ତୋୟାପୁଟ ଗାଁର ଅମ୍ରିତା କୁଲଦୀପ ବୋଲି ଜଣାପଡିଛି। ଘଟଣାକୁ ନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଉଠିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଅମ୍ରିତା ଗତକାଲି କଲେଜ ଡ୍ରେସ ପିନ୍ଧି ଘରୁ କଲେଜ ଯାଉଥିବା କହି ବାହାରିଥିଲେ। ଅପରାହ୍ନ ପ୍ରାୟ ୩ଟା ସମୟରେ ସେ ଗାଁ ନିକଟରେ ପହଞ୍ଚିଥିବା ଜଣାପଡିଥିଲା। ତେବେ ଏହାପରେ ସେ ଆଉ ଘରକୁ ଫେରିନଥିଲେ। ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ।ପରିବାର ଲୋକଙ୍କ ଅନୁସାରେ, ଖୋଜାଖୋଜି ସମୟରେ ଗାଁଠାରୁ ପ୍ରାୟ ଦେଢ କିଲୋମିଟର ଦୂରରେ ଥିବା ଏକ କାଜୁ ବାଡ଼ ନିକଟରେ ଥିବା ଚାକୁଣ୍ଡା ଗଛରେ ଅମ୍ରିତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ତାଙ୍କ ନିଜ ଓଢଣୀ ଗଛରେ ଥିବା ବୋଲି ପରିବାର ପକ୍ଷରୁ କୁହାଯାଇଛି।ଅମ୍ରିତାଙ୍କ ମୃତ୍ୟୁକୁ ନେଇ ପରିବାର ସନ୍ଦେହ ପ୍ରକାଶ କରିଛି। ଏହା ଆତ୍ମହତ୍ୟା ନୁହେଁ, ଘଟଣା ପଛରେ ହତ୍ୟାର ଷଡ଼ଯନ୍ତ୍ର ଥାଇପାରେ ବୋଲି ମୃତ ଛାତ୍ରୀଙ୍କ ଭାଇ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।ଖବର ପାଇ ଲକ୍ଷ୍ମୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାର ପରିସ୍ଥିତି ସମ୍ପର୍କରେ ପୋଲିସ ତଦନ୍ତ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।