
ଢେଙ୍କାନାଳ ଥିଙ୍କର୍ସ ଫୋରମର ପଞ୍ଚମ ବାର୍ଷିକ ବନ୍ଧୁମିଳନ
ସାହିତ୍ୟ, ସଂସ୍କୃତି ଓ କବିତାର ମହାମିଳନରେ ମୁଖରିତ ହେଲା ଯାଉଁଳି ପୋଖରୀ ମଠ
ଢେଙ୍କାନାଳ: ଢେଙ୍କାନାଳ ଥିଙ୍କର୍ସ ଫୋରମର ପଞ୍ଚମ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ସହରସ୍ଥିତ ଯାଉଁଳି ପୋଖରୀ ମଠ ପରିସରରେ ଆନନ୍ଦ ଓ ଉଲ୍ଲାସର ସହ ଆୟୋଜିତ ହୋଇଯାଇଛି। ପ୍ରକାଶ ଚନ୍ଦ୍ର ରାଉତଙ୍କ ସଂଚାଳନା ଏବଂ ସୋମେନ୍ଦୁ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ସାହିତ୍ୟ, କବିତା ଓ ସଂସ୍କୃତିର ଏକ ଅନନ୍ୟ ମିଳନ ଦେଖିବାକୁ ମିଳିଥିଲା।
ପ୍ରଥମେ ଢେଙ୍କାପୀଠରେ ପୂଜାର୍ଚ୍ଚନା ପରେ ଢେଙ୍କାଙ୍କ ପ୍ରତିମୂର୍ତ୍ତିଠାରୁ ଯାଉଁଳି ପୋଖରୀ ମଠ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ପରେ ମଠର ମହନ୍ତ ଶ୍ରୀ ଶ୍ରୀ ପ୍ରଭୁପାଦ ମହାରାଜ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ସମାରୋହରେ ମୁଖ୍ୟ ଅତିଥି ଭାବେ ଡ. ସୁରେନ୍ଦ୍ର ମୋହନ ମିଶ୍ର, ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ତଥା କବି ଇପ୍ସିତା ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ନବୀନ ଚନ୍ଦ୍ର ନାରାୟଣ ଦାସ ଏବଂ ସମ୍ମାନିତ ବକ୍ତା ଭାବେ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ସାହିତ୍ୟ ଓ ସମାଜର ବିଭିନ୍ନ ଦିଗ ଉପରେ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଅବିଭକ୍ତ ଢେଙ୍କାନାଳର ୧୨ ଜଣ ଦିଗ୍ଗଜ କବିଙ୍କ ଗୋଟିଏ ଗୋଟିଏ କବିତା ୧୨ ଜଣ କବୟିତ୍ରୀ ପାଠ କରି ସେହି ସାରସ୍ୱତ ସାଧକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ଫୋରମର ମୁଖପତ୍ର ‘ଚରୈବେତି’ ଉନ୍ମୋଚିତ ହୋଇଥିଲା।
ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଣ୍ଡିତ ବିପିନ ବିହାରୀ ଶତପଥୀ, ପ୍ରଭାତ ନଳିନୀ ଦାସ ଓ ଡ. ପ୍ରିୟଦର୍ଶିନୀ ମିଶ୍ରଙ୍କୁ ‘ଚରୈବେତି ସାରସ୍ୱତ ସମ୍ମାନ-୨୦୨୬’ରେ ସମ୍ମାନିତ କରାଯାଇଥିଲା। ସେହିପରି ଦିଲ୍ଲୀଶ୍ୱର ମହାରଣାଙ୍କୁ ‘ଶ୍ରେଷ୍ଠ କଳାକାର ସମ୍ମାନ-୨୦୨୬’, ସୌମ୍ୟା ମିଶ୍ରଙ୍କୁ ‘ଶ୍ରେଷ୍ଠ ସମାଜସେବୀ ସମ୍ମାନ-୨୦୨୬’ ଏବଂ ଦୀପ୍ତିରଞ୍ଜନ ମହାପାତ୍ର (ଗୋଲଡି)ଙ୍କୁ ଚଳିତ ବର୍ଷର ‘ନନ୍ଦିନୀ ଦେବୀ ସମ୍ମାନ’ ପ୍ରଦାନ କରାଯାଇଥିଲା।
ଗତ ରଥଯାତ୍ରାର ନବଦିନାତ୍ମକ ଯାତ୍ରା ସମୟରେ ପ୍ରତିଦିନ କବିତା ପ୍ରଦାନ କରି ପାଠକମାନଙ୍କୁ ମୁଗ୍ଧ କରିଥିବା ୧୫ ଜଣ କବିଙ୍କୁ ମଧ୍ୟ ମଞ୍ଚରେ ସମ୍ମାନିତ କରାଯାଇଥିଲା।
ବଲାଙ୍ଗୀରରୁ ଆସିଥିବା ଦୀପ୍ତିମାଳା ତ୍ରିପାଠୀ ଓ ବୈକୁଣ୍ଠ ଦ୍ୱିବେଦୀଙ୍କ ସଂଚାଳନାରେ ବିଭିନ୍ନ ସାଂସ୍କୃତିକ ପରିବେଷଣ ହୋଇଥିଲା। ଅନ୍ୟପଟେ ପ୍ରଶାନ୍ତ ଜେନା, ଶ୍ରୀତମ ଦେହୁରୀ ଓ ସସ୍ମିତା ଦାଶଙ୍କ ସଂଯୋଜନାରେ ପ୍ରାୟ ୮୦ ଜଣ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ।
ସଭା ଶେଷରେ ଫୋରମର ଉପସଭାପତି ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାହିତ୍ୟମୟ ଆୟୋଜନରେ ଅନୁଗୋଳ, ତାଳଚେର, ମୟୂରଭଞ୍ଜ, ଭୁବନେଶ୍ୱର, ଯାଜପୁର, ବାଲେଶ୍ୱର, ହିନ୍ଦୋଳ, କାମାକ୍ଷାନଗର ଓ କଟକ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ସାହିତ୍ୟପ୍ରେମୀ ଯୋଗଦେଇଥିଲେ।
ମା’ ଜେନାଦେବୀଙ୍କ କରୁଣା ଓ ପ୍ରଣମ୍ୟ ପୁରୁଷ ଢେଙ୍କାଙ୍କ ଆଶୀର୍ବାଦରେ ଏହି ବନ୍ଧୁମିଳନ ଉତ୍ସବ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଭାବଗତ ଏକତା ସୃଷ୍ଟି କରିଛି।
#public
ଜୟ ଢେଙ୍କାନାଳ, ଜୟ ଢେଙ୍କା। 🙏🙏🙏