
ଶୁଦ୍ଧିକ୍ରିୟା ଭୋଜିଖାଇ ଫେରୁଥିବା ବେଳେ ବଜ୍ରପାତ
ଜଣେ ମୃତ, ୪ ଶିଶୁ ସମେତ ୮ ଗୁରୁତର
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗାଁର ସାବିତ୍ରୀ ମୁଣ୍ଡା (୫୫) | ସେହିପରି ୪ ଜଣ ଶିଶୁ ସମେତ ମୋଟ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଏମାନେ ସମସ୍ତେ ଏକ ଶୁଦ୍ଧିକ୍ରିୟା ଭୋଜି ଖାଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ସୂଚନା ଅନୁସାରେ, ଆଜି ବରଖୋଳ ଗ୍ରାମରେ ଏକ ଶୁଦ୍ଧିକ୍ରିୟା ଭୋଜି ଚାଲିଥିଲା । ଭୋଜି ଖାଇ ଏମାନେ ସମସ୍ତେ ଘରକୁ ଫେରୁଥିଲା । ଅପରାହ୍ଣ ପ୍ରାୟ ୩ଟା ସମୟରେ ହଠାତ୍ ପ୍ରବଳ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା। ଫଳରେ ସାବିତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପାଖରେ ଥିବା ବାସନ୍ତୀ ବାଲମୁଚ (୨୭), ରାଇମୁନୀ ମୁଣ୍ଡା (୨୮), ସୀମା ମୁଣ୍ଡା (୨୫), ମାନି ଗାଗରାଇ (୩୫) ଓ ୪ ଜଣ ଶିଶୁ ଗୁରୁତର ଆହତ ହୋଇଥିଲେ । ନିକଟରେ ଥିବା ଲୋକେ ଦୌଡ଼ି ଆସି ସେମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ସଂଗେ ସଂଗେ ଛେଣ୍ଡିପଦା ଡାକ୍ତରଖାନାକୁ ନିଆଯାଇଥିଲା | ସେଠାରେ ସାବିତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ| ୪ ଜଣ ଶିଶୁ ଛେଣ୍ଡିପଦାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଚାରି ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନୁଗୁଳ ଡାକ୍ତରଖାନାକୁ ପଠାଯାଇଛି।
#riamal #devgarh #newspaper #Devgarhnews #OdishacityNews #lighting #newstoday