ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ୧୨ଟି ଗୋରୁ ବୋଝେଇ ଏକ ଗାଡ଼ିକୁ ବଙ୍ଗ ପୁଲିସ ଜବତ କରିଛି। ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅଧୀନ ସୋନାକନିଆ ଟୋଲ୍ ଚେକିଂ ନିକଟରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଓଡିଶା -ପଶ୍ଚିମ ବଙ୍ଗ ସୀମାନ୍ତ ସୋନାକନିଆ ଟୋଲ୍ ଚେକିଂ ସମୟରେ ଏକ ଗାଡ଼ି ଦ୍ରୁତ ଗତିରେ ଚେକିଂ ନାକାକୁ ଅତିକ୍ରମ କରି ପଳାଇବାକୁ ଉଦ୍ୟମ କରିଥିଲା। ଏଥିରେ ସନ୍ଦେହ ହେବାରୁ ଦାତନ ପୁଲିସ ଗାଡ଼ିଟିକୁ ଅଟକାଇବାକୁ ଉଦ୍ୟମ କରିଥିଲା। ତେବେ ଗାଡ଼ି ଅଟକିବା ପରେ ଚାଳକ ସେଠାରୁ ଫେରାର ହୋଇଯାଇଥିଲା।
ପୁଲିସ ଗାଡ଼ିଟିକୁ ଯାଞ୍ଚ କରିବା ପରେ ଭିତରୁ ୧୨ଟି ଗୋରୁ ଉଦ୍ଧାର ହୋଇଥିଲା। ଗୋରୁଗୁଡ଼ିକୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିବା ପୁଲିସ ପ୍ରାଥମିକ ଭାବେ ଅନୁମାନ କରୁଛି।
ଘଟଣା ପରେ ପୁଲିସ ଗୋରୁଗୁଡ଼ିକୁ ଉଦ୍ଧାର କରିବା ସହ ଗାଡ଼ିଟିକୁ ଜବତ କରିଛି। ଗାଡ଼ିର ମାଲିକ ଓ ଫେରାର ଚାଳକଙ୍କ ପରିଚୟ ଏବଂ ଠିକଣା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ଗୋରୁ ଚାଲାଣ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି।