କୁନ୍ଦୁରା ଯୁବକ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣି SDPO ଙ୍କ ଦ୍ୱାରସ୍ଥ ହେଲେ ପରିବାର,
ନିରପେକ୍ଷ ତଦନ୍ତ ପ୍ରତିଶ୍ରୁତି SDPO
ଜୟପୁର/କୁନ୍ଦୁରା: କୁନ୍ଦୁରା ଥାନା ଅନ୍ତର୍ଗତ ଭାଟିଗୁଡା ଗ୍ରାମ ନିକଟରେ ଘଟିଥିବା ଯୁବକଙ୍କ ରହସ୍ୟଜନକ ମୃତ୍ୟୁ ମାମଲା ଏବେ ଏକ ନୂଆ ମୋଡ଼ ନେଇଛି। ଗତ ୧୮ ତାରିଖରେ ଜଣେ ଯୁବକଙ୍କ ଶବ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ, ଏହା ଆତ୍ମହତ୍ୟା ନୁହେଁ ବରଂ ଯୋଜନାବଦ୍ଧ ହତ୍ୟା ବୋଲି ମୃତକଙ୍କ ବାପା ଅଭିଯୋଗ କରିଛନ୍ତି। ପୋଲିସର ନିଷ୍କ୍ରିୟତାକୁ ପ୍ରତିବାଦ କରି ଆଜି ପରିବାର ବର୍ଗ ଜୟପୁର ଏସଡିପିଓ (SDPO)ଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଭାଟିଗୁଡା ଗ୍ରାମ ନିକଟରେ ଅବିନାଶ ପରଜା ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ କୁନ୍ଦୁରା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ମୃତ ଅବିନାଶଙ୍କ ବାପା କେଶବ ପରଜାଙ୍କ କହିବା ଅନୁସାରେ, ତାଙ୍କ ପୁଅକୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଛି। ତେବେ ଘଟଣାକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ କୌଣସି ଦୃଢ଼ ପଦକ୍ଷେପ ନେଇନଥିବା ସେ ଅଭିଯୋଗ କରିଛନ୍ତି। ପୋଲିସର ଏଭଳି ଟାଳଟୁଳ ନୀତିରେ ଅସନ୍ତୋଷ ପ୍ରକାଶ କରି ଆଜି ମୃତକଙ୍କ ପରିବାର ଜୟପୁର ଏସଡିପିଓଙ୍କୁ ଭେଟି ଏକ ନିରପେକ୍ଷ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଜୟପୁର ଏସଡିପିଓ କୁମାରୀ ଅର୍ଚ୍ଚିତା ମିତ୍ତଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ପୋଲିସ ନିଜର ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ଶବ ବ୍ୟବଚ୍ଛେଦ (Post-mortem) ରିପୋର୍ଟ ଏବଂ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରୁଥିବା ବିଶେଷଜ୍ଞ ଦଳଙ୍କ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। ସମସ୍ତ ତଥ୍ୟ ଓ ନିଷ୍କର୍ଷ ମିଳିବା ପରେ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯିବ। ବର୍ତ୍ତମାନ ପୋଲିସର ରିପୋର୍ଟକୁ ପରିବାର ଏବଂ ସ୍ଥାନୀୟ ଲୋକେ ଚାହିଁ ରହିଥିବା ବେଳେ, ଅବିନାଶଙ୍କୁ ପ୍ରକୃତରେ ହତ୍ୟା କରାଯାଇଛି ନା ଏହା ଆତ୍ମହତ୍ୟା, ତାହା ଉପରୁ ପରଦା ହଟିବା ଏବେ ବାକି ରହିଛି।