#ରାଜ୍ୟସ୍ତରୀୟ_ଦେଶକରମ_ପରବର_ବାଲିଉଠା_ଅନୁଷ୍ଠିତ
ପାଟଣା-ଧାନବେନି ନିକଟସ୍ଥ ବୈତରଣୀର କରମତୀର୍ଥ ଘାଟରେ କୁଡୁମି ସମ୍ପ୍ରଦାୟର ରାଜ୍ୟସ୍ତରୀୟ ଦେଶକରମ ପର୍ବ ଉପଲକ୍ଷେ ବାଲିଉଠା କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଷଠି ଜଣ କର୍ମତି ସାମିଲ ହୋଇଥିବାବେଳେ ତାଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ ଦେଶକରମ ପର୍ବର ଅନ୍ୟତମ ଉଦ୍ୟୋକ୍ତା ଡାକ୍ତର ପ୍ରତାପ ମହାନ୍ତ। ଶିରପା ଗ୍ରହଣପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଲକ୍ଷ୍ମୀଧର ମହାନ୍ତ।ମୁଖ୍ୟଅତିଥି ଭାବରେ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ, ସମ୍ମାନିତ ଅତିଥି ଭାବେ କୁଡୁମି ସମାଜର ଅଧ୍ୟକ୍ଷ କ୍ଷୀରୋଦ ମହାନ୍ତ, ଭୁତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ରମାକାନ୍ତ ମହାନ୍ତ, କରଞ୍ଜିଆ କଲେଜର ଅଧ୍ୟାପକ ଡକ୍ଟର ମିଲନ ମହାନ୍ତ, ଇଞ୍ଜିନିଅର ସୁରେନ୍ଦ୍ର ନାଥ ମହାନ୍ତ, ରାଉରକେଲାର ପଟେଲ ଚନ୍ଦ୍ର ମହାନ୍ତ, ରାଇରଙ୍ଗପୁରର ଭବାନୀଶଙ୍କର ମହାନ୍ତ, ଗୁଣ୍ଡୁରିଆର ଶରତ ଚନ୍ଦ୍ର ମହାନ୍ତ, ଅଁଳାଡିହାର କୈଳାଶ ଚନ୍ଦ୍ର ମହାନ୍ତ, କଦାଡିହାର ସହଦେଵ ମହାନ୍ତ, ଡୁମୁରିଆର ସତ୍ୟନାରାୟଣ ମହାନ୍ତ ପ୍ରମୁଖ ଯୋଗଦେଇ କର୍ମତିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ଦଶହଜାର କୁଡୁମି ଭାଇଭଉଣୀ ଉପସ୍ଥିତ ହୋଇଥିଲେ। ଢୋଲ, ମାଦଳ, ମାଇକ, ନୃତ୍ୟଗୀତ ଓ ଜୟ କରମରାଜା ଧ୍ୱନିରେ ଏକ ଭାବଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଚଳିତବର୍ଷ ୨୨ ସେପ୍ଟେମ୍ବର ମଙ୍ଗଳବାର ଦିନ ଦେଶକରମ ପୂଜା ବାମନଘାଟି ଅନ୍ତର୍ଗତ କୁସୁମି ବ୍ଲକର ଚିଙ୍ଗୁଡ଼ିପୋଖରୀ ଗ୍ରାମରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସୁତରାଂ କରମତୀର୍ଥ ପରିସରରେ ଜାୱାବେଢ଼ା ହେବା ପରେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରେ ଚିଙ୍ଗୁଡ଼ିପୋଖରୀ ଅଭିମୁଖେ ଜାୱାଯାତ୍ରା ଆରମ୍ଭ ହୋଇଥିଲା। ଏହି ଅବସରରେ ଧାନବେନି, ତିଳବେଡ଼ା, ସାହାରପଡ଼ା, ସରୁବାଲି, ଟଙ୍ଗାବିଲା, ମାହାର୍ଦ୍ଦାପଳଶା ପ୍ରଭୃତି ଗ୍ରାମରେ ଝୋଟି ଅଙ୍କନ କରି ଜାୱାଡ଼ାଲାର ବନ୍ଦାପନା ଓ ପରିକ୍ରମା କରାଯାଇ ଭବ୍ୟ ସ୍ୱାଗତ କରାଯାଇଥିଲା। ବହୁ ପ୍ରତୀକ୍ଷିତ ଜାୱାଡାଲା ପରିଶେଷରେ ଚିଙ୍ଗୁଡ଼ି ପୋଖରୀରେ ଯାଇ ପହଂଚିଥିଲା। ଅପେକ୍ଷାରତ ମାଆଭଉଣୀ ଓ ସମସ୍ତ ଆୟୋଜକବୃନ୍ଦ ଵିଧି ଅନୁସାରେ ଜାୱାର ରକ୍ଷଣାବେକ୍ଷଣ ଓ ପୂଜାର୍ଚନା କରିଥିଲେ। ସୂଚନାଥାଉ କି ସପ୍ତାହବ୍ୟାପୀ ସେଠାରେ ପ୍ରତିଦିନ ସନ୍ଧ୍ୟାବେଳେ ଜାୱାବେଢ଼ା, ସଭା, ଆଲୋଚନା, ମାଦଳ ସଙ୍ଗମ, ସାଂସ୍କୃତିକ କାର୍ଯ୍ୟକ୍ରମ, ଝୁମର ମେଲୋଡି ଆଦି ଚାଲୁରହିବ। ଏଥିରେ ରାଜ୍ୟ ତଥା ରାଜ୍ୟବାହାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।