ଟାଟା ପାୱାରର ମନମାନି ବିରୋଧରେ ବିଜେଡିର ବିକ୍ଷୋଭ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଜୟପୁର, ଟାଟା ପାୱାର (ଟିପିଏସ୍ ଓଡିଏଲ୍)ର କଥିତ ମନମାନି କାର୍ଯ୍ୟ, ଅଘୋଷିତ ବିଦ୍ୟୁତ କାଟ ଏବଂ ସ୍ମାର୍ଟ ମିଟର ମାଧ୍ୟମରେ ଅଧିକ ବିଦ୍ୟୁତ ବିଲ୍ ଆଦାୟ ପ୍ରତିବାଦରେ ଜୟପୁର ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜୟପୁରରେ ଟାଟା ପାୱାରର ମନମାନି କାର୍ଯ୍ୟ ପ୍ରତିବାଦରେ ବିଜେଡି ପକ୍ଷରୁ ସ୍ଥାନୀୟ ବାବାସାହେବ କଲ୍ୟାଣ ମଣ୍ଡପ ଠାରୁ ଏକ ବିଶାଳ ପଦଯାତ୍ରା ବାହାରି ଟିପିଏସ୍ଓଡିଏଲ୍ ଅଧୀକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ଠାରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଅଧିକ୍ଷକ ଯନ୍ତ୍ରୀ ମନ୍ମଥ ମିଶ୍ରଙ୍କ ଜରିଆରେ ମାନ୍ୟବର ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଥିବା ବେଳେ ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୋକେ ଅଘୋଷିତ ବିଦ୍ୟୁତ କାଟର ସମ୍ମୁଖୀନ ହେଉଛନ୍ତି। ଦିନ ଓ ରାତିରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହୁଥିବାରୁ ଚାଷୀ, ଛାତ୍ରଛାତ୍ରୀ, ରୋଗୀ, ବ୍ୟବସାୟୀ ଓ ସାଧାରଣ ଜନତା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ, ସ୍ମାର୍ଟ ମିଟର ସଂଯୋଗ ପରେ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବିଲ୍ ବୋଝ ଲଦାଯାଉଛି। ଏହା ସହ ଜୟପୁର ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଓ ତାରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଯେକୌଣସି ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେବାର ଆଶଙ୍କା ରହିଥିବା ସେମାନେ କହିଛନ୍ତି। ଦଳ ପକ୍ଷରୁ ସ୍ମାର୍ଟ ମିଟର ବ୍ୟବସ୍ଥାର ନିରପେକ୍ଷ ତଦନ୍ତ କରାଯିବା ସହ ଟାଟା ପାୱାର ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ଦାବି କରାଯାଇଛି।
ଏହି ଆନ୍ଦୋଳନରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ନେତୃତ୍ୱ ନେଇଥିବା ବେଳେ ପୂର୍ବତନ କୋରାପୁଟ ବିଧାୟକ ରଘୁରାମ ପଢାଲ, ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର, ବିଧାୟକ ପ୍ରାର୍ଥୀ ଇନ୍ଦିରା ନନ୍ଦ, ଜୟପୂର ପୌରାଧ୍ୟକ୍ଷା ବି ସୁନିତା, ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ରଥ,ନଗର ବିଜେଡି ସଭାପିତ ଏ. ଶ୍ରୀନିବାସ ରାଓ, ସମ୍ପାଦକ ମାଧବ ରଥ, ଦୁର୍ଗା ମିଶ୍ର, ଯୁବ ନେତା ଧର୍ମେନ୍ଦ୍ର ଅଧିକାରୀ, ଶିବ ନାୟକ,ଧନ ଖରା,ବିଜେଡି ନେତ୍ରୀ, ଟ୍ବିଙ୍କଲ୍ ମିଶ୍ର, ଏ ଅରୁଣା, ଶିଳ୍ପା ପାଣି ବିଜେଡି କାଉନସିଲରଙ୍କ ସମେତ ବହୁ ସଂଖ୍ୟକ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।