ଲଘୁଚାପ ବର୍ଷାରେ ବେହାଲ ମାଲକାନଗିରି, ବୁଡ଼ିଲା ପୋଟେରୁ ବ୍ରିଜ୍, ସ୍କୁଲ ବନ୍ଦ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଲଘୁଚାପଜନିତ ବର୍ଷାରେ ଉବୁଟୁବୁ ମାଲକାନଗିରି । ଜିଲ୍ଲାରେ ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ, ଯାତାୟତ ଠପ୍ ହୋଇଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରି ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା କରାଯାଇଥିବା ବେଳେ, ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ ।
୩୨୬ ନମ୍ବର ଜାତୀୟ ରାଜପଥ ଅଚଳ:
ମାଲକାନଗିରି ଜିଲ୍ଲାରେ ଦୁଇ ଦିନ ଧରି ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଲଗାଣ ବର୍ଷା ଯୋଗୁଁ ପୋଟେରୁ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ, ବିଭିନ୍ନ ନାଳ ଫୁଲିବାରେ ଲାଗିଛି । ଏହାର ପ୍ରଭାବରେ ମାଲକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ବ୍ରିଜ୍ ଉପରେ ପ୍ରାୟ ଦୁଇ ଫୁଟ ଉଚ୍ଚରେ ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବ୍ରିଜ ଉଭୟ ପାର୍ଶ୍ବରେ ଗାଡ଼ି ଅଟକି ରହିଥିବା ବେଳେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ମାଲକାନଗିରି ଜିଲ୍ଲା ପୋଟେରୁ, କନ୍ୟା ଆଶ୍ରମ ଓ ଏମଭି-90 ନମ୍ବର ପୋଲ ଉପରେ 2 ରୁ 3 ଫୁଟ ଉଚ୍ଚର ପାଣି ଚାଲୁଛି । ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ଜିଲ୍ଲାରେ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ପଦକ୍ଷେପ ନେଇଛନ୍ତି । ଗୋଟିଏ ଓଡ୍ରାଫ୍ ଟିମ୍ କାଲିମେଳା ବ୍ଲକରେ ସଜାଗ ରଖାଯାଇଛି । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।
#heavyrain #flood #malkangirinews #malkangiri #odisha #newodishatv