ସାର ର ଅଭାବୀବିକ୍ରି
ଅସନ୍ତୁଷ୍ଟ ଚାଷୀ
ଆନ୍ଦୋଳନ ପାଇଁ ଚେତାବନୀ
ପ୍ରଶାସନ ଓ କୃଷକ ସଙ୍ଗଠନର ଦ୍ବିପାକ୍ଷିକ ବୈଠକ
ଖରିଫ୍ ଋତୁରେ ସାରର ଅଭାବୀ ବିକ୍ରି ଓ ଚୋରା ଚାଲାଣକୁ ନେଇ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ସମସ୍ୟାର ସମାଧାନ ପାଇଁ ଆଜି ଘେଁସ ଧାନମଣ୍ଡି ପରିସରରେ ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ଓ ଜିଲ୍ଲା କୃଷି ବିଭାଗ ମଧ୍ୟରେ ଏକ ଜରୁରୀକାଳୀନ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଶାସନର ଦୃଢ଼ ପ୍ରତିଶ୍ରୁତି ପରେ ଚାଷୀମାନେ ସେମାନଙ୍କ ପ୍ରସ୍ତାବିତ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ।
ପ୍ରାଥମିକ ସମବାୟ ସମିତି (ସୋସାଇଟି) ଗୁଡ଼ିକରେ କେବଳ ଋଣି ଚାଷୀଙ୍କୁ ସାର ମିଳୁଥିବା ବେଳେ ଅଣଋଣି ଚାଷୀଙ୍କୁ ଅଣଦେଖା କରାଯାଉଛି । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଚଢ଼ା ଦରରେ ସାର ବିକ୍ରି କରି କଳାବଜାରୀ କରୁଥିବାବେଳେ ଚାଷୀମାନଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।
ସାର ନମିଳିଲେ ଜିଲ୍ଲାର ସମସ୍ତ ସୋସାଇଟିରେ ତାଲା ପକାଇ ଆନ୍ଦୋଳନ କରିବାକୁ ମଧ୍ଯ ଚାଷୀ ସଙ୍ଗଠନ ପ୍ରସ୍ତୁତି କରିଥିଲା ।
ଆନ୍ଦୋଳନ ଖବର ପାଇ ଜିଲ୍ଲା କୃଷି ବିଭାଗ ତତ୍ପରତା ଦେଖାଇଥିଲା । ଦୀର୍ଘ ଦେଢ଼ ଘଣ୍ଟାର ଆଲୋଚନା ପରେ ପ୍ରଶାସନ ଚାଷୀଙ୍କ ଦାବି ଆଗରେ ନଇଁଥିଲା । ଋଣି ଚାଷୀଙ୍କ ଭଳି ଅଣଋଣି ଚାଷୀମାନଙ୍କୁ ମଧ୍ୟ ଚଳିତ ସପ୍ତାହ ମଧ୍ୟରେ ସୋସାଇଟିରେ ସରକାରୀ ମୂଲ୍ୟରେ ସାର ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ ପ୍ରତିଶ୍ରୁତି ମିଳିଛି । ସାରର କଳାବଜାରୀ ଓ ଚୋରା ଚାଲାଣ ରୋକିବା ପାଇଁ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି ।
ଏହି ବୈଠକରେ ପ୍ରଶାସନ ପକ୍ଷରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରିଣୀ ମମତା ତ୍ରିପାଠୀ , କୃଷି ଜିଲ୍ଲା ଅଧିକାରିଣୀ ସୋହେଲା ଝୁମି ମେହେର, ବରଗଡ଼ ଏଡିଓ ଅଞ୍ଜନ ନାଏକ,ସହକାରୀ କୃଷି ଅଧିକାରୀ ସୋହେଲା ଅଭିଷେକ ଅଗ୍ରୱାଲ,ଜିଲ୍ଲା ଉପ ନିବନ୍ଧକ ଅଧିକାରୀ ଯୁଗଲକିଶୋର ଦାଶ ଏବଂ କୃଷକ ସଙ୍ଗଠନ ପକ୍ଷରୁ ପ୍ରଭାତ ସାହୁ, କୁଞ୍ଜବିହାରୀ ପ୍ରଧାନ, ସଂଜୀବ ପଧାନ, ଧୀରେନ୍ଦ୍ର ପଟେଲ, କ୍ଷୀରୋଦ୍ର ପଟେଲ, କୃତାର୍ଥ ପ୍ରଧାନ, ମୀନକେତନ ବାରିକ, ଅରୁଣ ବାରିକ ଙ୍କ ସମେତ ଅନେକ ଚାଷୀ ନେତା ଉପସ୍ଥିତ ଥିଲେ । ସାର ବଣ୍ଟନ ପ୍ରକ୍ରିୟା ଉପରେ ସଙ୍ଗଠନ ତୀକ୍ଷ୍ଣ ନଜର ରଖିବ ବୋଲି ଚେତାବନୀ ଦେଇଛି ।