କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ ସମାରୋହ
କେଜି ରୁ ପିଜି' ନିଃଶୁଳ୍କ ଶିକ୍ଷାରେ ଓଡ଼ିଶା ଦେଶରେ ପ୍ରଥମ; ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ
ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କଲେ ମୁଖ୍ୟମନ୍ତ୍ରୀ,
“ସୋସିଆଲ ମିଡିଆରେ ସମୟ ନଷ୍ଟ ନକରି ଏକମନ-ଏକପ୍ରାଣ ହୋଇ ପାଠ ପଢ଼ିବାକୁ ପିଲାଙ୍କୁ ବୁଝେଇଲେ ମୁଖ୍ୟମନ୍ତ୍ରୀ
“ବିଦ୍ୟାଳୟ ରୂପାନ୍ତରଣରେ 'ପଞ୍ଚସଖା ଶିକ୍ଷା ସେତୁ'ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା”
ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା”- ମୁଖ୍ୟମନ୍ତ୍ରୀ
ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ପରାମର୍ଶ ଦେଇଛନ୍ତି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଫୋକସ୍ କରିବାକୁ ପରାମର୍ଶ ଦେଇ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛାତ୍ର ଭାବରେ ତୁମ ମାନଙ୍କର ପ୍ରଥମ ଦାୟିତ୍ୱ ହେଉଛି ଭଲ ପାଠ ପଢି ଦକ୍ଷତା ହାସଲ କରିବ ଏବଂ ନିଜର ଓ ଦେଶର ବିକାଶରେ ଯୋଗଦାନ ରଖିବ। ଏହା ହେଉଛି ଆମ ଶିକ୍ଷା ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ। ତେଣୁ, ଅନ୍ୟ କୌଣସି ବିଷୟରେ ଯାହା ତୁମର କ୍ୟାରିୟର ଗଢିବାରେ ବାଧା ସୃଷ୍ଟି କରିବାର ସମ୍ଭାବନା ରହିଛି ସେଥିରୁ ଦୂରେଇ ରହିବାକୁ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ।
ସେହିପରି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପର୍କ ଉପରେ ଆଲୋକପାତ କରି ଏହା ଆଜିର ସମୟରେ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ସହିତ ପିତାମାତା ଓ ଗୁରୁଜନଙ୍କ ଆଶୀର୍ବାଦ ନେଇ ସଫଳତାର ଶୀର୍ଷରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି।
ଶିକ୍ଷା କେବଳ ଜ୍ଞାନ ପ୍ରଦାନ ନୁହେଁ; ଶିକ୍ଷା ହେଉଛି ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା ଏବଂ ଆମର ଶିକ୍ଷକମାନେ ଏହି ଗୁରୁଦାୟିତ୍ୱ ତୁଲାଇ ଆସୁଛନ୍ତି। ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ମହାତ୍ମ୍ୟ ପିଲାମାନଙ୍କୁ ବୁଝାଇବା ସହ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପୂଣ୍ୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅତୁଳନୀୟ। ପ୍ରଭୁ ଶ୍ରୀରାମ, ଶ୍ରୀକୃଷ୍ଣଙ୍କଠାରୁ ଆରମ୍ଭ କରି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ସ୍ୱାମୀ ବିବେକାନନ୍ଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନ ଗଠନରେ ଗୁରୁଙ୍କ ଭୂମିକା ନିର୍ଣ୍ଣାୟକ ଥିଲା। ଆଜିର ଯୁଗରେ ମଧ୍ୟ 'ମିଜାଇ