#ଓଡ଼ିଶା #sambalpur #Odisha
ସ୍ନାପଚାଟ୍ରେ ନାବାଳିକାଙ୍କୁ ବ୍ଲାକମେଲ୍: ଉତ୍ତରାଖଣ୍ଡରୁ ଅଭିଯୁକ୍ତ ଯୁବକ ଗିରଫ
ସମ୍ବଲପୁର ସାଇବର କ୍ରାଇମ୍ ଓ ଇକୋନୋମିକ ଅଫେନ୍ସ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ସ୍ନାପଚାଟ୍ (Snapchat) ମାଧ୍ୟମରେ ଜଣେ ନାବାଳିକାଙ୍କ ସହ ବନ୍ଧୁତା ସ୍ଥାପନ କରି, ଭିଡିଓ କଲ୍ ଜରିଆରେ ଗୁପ୍ତ ଫଟୋ ଓ ଭିଡିଓ ରେକର୍ଡ କରି ବ୍ଲାକମେଲ୍ କରୁଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି।
ଅଭିଯୁକ୍ତ ଯୁବକ ଜଣକ ହେଉଛନ୍ତି ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲା କାଙ୍କଖାଲ ଥାନା ଅନ୍ତର୍ଗତ ଆୟୁଷ ସାଇନି (୨୫)। ସେ ନାବାଳିକାଙ୍କୁ ଆପତ୍ତିଜନକ ଭିଡିଓ ପଠାଇ ଧମକଚମକ ଦେଉଥିବା ନେଇ ସମ୍ବଲପୁର ସାଇବର ଥାନାରେ କେସ୍ ନଂ-୩୦ (ତାରିଖ: ୧୧.୦୮.୨୦୨୬) ରୁଜୁ ହୋଇଥିଲା।
ସମ୍ବଲପୁର ପୁଲିସ ଗତ ସେପ୍ଟେମ୍ବର ୩ ତାରିଖ ଦିନ ହରିଦ୍ୱାରରୁ ଅଭିଯୁକ୍ତକୁ ଗିରଫ କରିଥିଲା। ତା' ନିକଟରୁ ଗୋଟିଏ ମୋବାଇଲ୍ ସେଟ୍, ସିମ୍ କାର୍ଡ ଓ ମାଇକ୍ରୋ ଏସଡି କାର୍ଡ ଜବତ କରାଯାଇଛି। ତଦନ୍ତ ବେଳେ ମୋବାଇଲରୁ ବହୁ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ ଆକାଉଣ୍ଟ ଓ ପ୍ରମାଣ ମିଳିଛି।
ପୁଲିସ ଅଭିଯୁକ୍ତ ବିରୋଧରେ BNS ସେକ୍ସନ 75/78/79, IT Act ର ସେକ୍ସନ 66(E)/67/67(B) ଏବଂ POCSO Act ର ସେକ୍ସନ 12/15 ଅଧୀନରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।
ଅଭିଭାବକ ଓ ସ୍କୁଲ୍ ପାଇଁ ପୁଲିସର ପରାମର୍ଶ:
* ପିଲାମାନଙ୍କର ଅନଲାଇନ୍ ଗତିବିଧି ଉପରେ ନଜର ରଖନ୍ତୁ।
* ଅଜଣା ବ୍ୟକ୍ତିଙ୍କ ସହ କଥା ନହେବା ଓ ନିଜର ବ୍ୟକ୍ତିଗତ ଫଟୋ/ତଥ୍ୟ ସେୟାର ନକରିବାକୁ ଶିକ୍ଷା ଦିଅନ୍ତୁ।
* କୌଣସି ଧମକ କିମ୍ବା ବ୍ଲାକମେଲ୍ର ଶିକାର ହେଲେ ଭୟଭୀତ ନହୋଇ ସାଙ୍ଗେ ସାଙ୍ଗେ ପୁଲିସକୁ ଜଣାନ୍ତୁ।