ଚୋରଙ୍କ ଟାର୍ଗେଟ ରେ ମଠ ଓ ମନ୍ଦିର:
ଜୟପୁର ସହରରେ ବୃଦ୍ଧି ପାଇଛି ନାବାଳକ ଚୋର।
୪ଟି ଚୋରି ମାମଲାର ପର୍ଦ୍ଦାଫାସ, ୬ ଅଭିଯୁକ୍ତ ଗିରଫ। ଜୟପୁର ଟାଉନ୍ ପୋଲିସ ଚୋରି ଓ ଘରଭଙ୍ଗା ଘଟଣାରେ ବଡ଼ ସଫଳତା ହାସଲ କରିଛି। ଏହାକୁ ନେଇ ଜୟପୁର ଏସଡିପିଓ କୁମାରୀ ଅର୍ଚ୍ଚିତା ମିତ୍ତଲ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଜୟପୁର ସହରର ବିଭିନ୍ନ ସ୍ଥାନରେ ଘଟିଥିବା ୪ଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପ୍ରାୟ ୩ ଲକ୍ଷ ନଗଦ ଟଙ୍କା ଓ ଚୋରି ସାମଗ୍ରୀ ଉଦ୍ଧାର କରିଛି। ପୋଲିସ ସୂଚନା ଅନୁଯାୟୀ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଘରଭଙ୍ଗା ଓ ଚୋରି ଘଟଣାରେ ଜୟପୁର ଟାଉନ୍ ଥାନା କେସ୍ ନଂ-୨୧୭/୨୦୨୬ ରୁଜୁ ହୋଇଥିଲା। ଏହି ମାମଲାରେ ପୋଲିସ ରିଙ୍କୁ ବାଗଙ୍କୁ ଗିରଫ କରିଥିବାବେଳେ ଏକ ଲୁହା ଖଟ, ଦୁଇଟି ପ୍ଲାଷ୍ଟିକ୍ ଚେୟାର, ଏକ କାଠ ଚୌକି ଓ ଏକ ମହିନ୍ଦ୍ରା ଅଟୋ ଓଆର୍-୧୦ଏଚ୍-୨୮୪୫ ଜବତ କରିଛି। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।
ସେହିପରି ବାଙ୍କମଠ ଓ ଗୋପୀନାଥ ମନ୍ଦିରରୁ ଦାନ ହୁଣ୍ଡି ରୁ ଟଙ୍କା ଏବଂ ରୂପା ମୁକୁଟ ଚୋରି ଘଟଣାରେ ରୁଜୁ ହୋଇଥିବା କେସ୍ ନଂ-୨୧୯/୨୦୨୬ରେ ପୋଲିସ ରବୀନ୍ଦ୍ର ବାଗଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୨,୩୫୦ ଟଙ୍କା ମୂଲ୍ୟର ମୁଦ୍ରା ଏବଂ ଦୁଇଟି ରୂପା ମୁକୁଟ ଉଦ୍ଧାର କରାଯାଇଛି। ରବୀନ୍ଦ୍ରଙ୍କ ନାମରେ ମଧ୍ୟ ପୂର୍ବରୁ ଅନେକ ଚୋରି ମାମଲା ରହିଛି। ଏହାଛଡ଼ା ଏଲ୍.ଏନ୍. ମୋଟର୍ସ ସ୍ପେୟାର ପାର୍ଟସ୍ ଦୋକାନରେ ଘରଭାଙ୍ଗି କରି ଚୋରି ଘଟଣାରେ ରୁଜୁ ହୋଇଥିବା କେସ୍ ନଂ-୧୮୧/୨୦୨୬ରେ ଦୁଇଜ ନାବାଳକ (ସିସିଏଲ)ଙ୍କୁ ଧରାଯାଇଛି। ସେମାନଙ୍କ ନିକଟରୁ ୨,୫୦୦ ଟଙ୍କା ନଗଦ, ୩୨ଟି ମୁଦ୍ରା ଏବଂ ଏକ ଲୁହା ରୋଡ ଜବତ କରାଯାଇଛି। ଅନ୍ୟପଟେ କେନାଲ ରୋଡ଼ସ୍ଥିତ ଏକ ବ୍ୟବସାୟିକ ପ୍ରତିଷ୍ଠାନରୁ ୬.୮୫ ଲକ୍ଷ ଟଙ୍କା ଚୋରି ଘଟଣାରେ ରୁଜୁ ହୋଇଥିବା କେସ୍ ନଂ-୧୯୯/୨୦୨୬ରେ ରାଖେଲ ଖୋରା ଓ ଜଣେ ନାବାଳକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୨,୭୫,୫୦୦ ଟଙ୍କା ନଗଦ ଏବଂ ଏକ ଲୁହା ରୋଡ ଜବତ କରାଯାଇଛି। ରାଖେଲ ଖୋରାଙ୍କ ବିରୋଧରେ ମଧ୍ୟ ପୂର୍ବରୁ ଏକାଧିକ ଚୋରି ଓ ଅପରାଧିକ ମାମଲା ରହିଛି। ଜୟପୁର ଟାଉନ୍ ପୋଲିସର ଏହି ସଫଳ ଅଭିଯାନରେ ମୋଟ ୪ଟି ଚୋରି ମାମଲାର ସମାଧାନ ହୋଇଥିବାବେଳେ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ନଗଦ ରାଶି ଓ ବିଭିନ୍ନ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିବା ଜୟପୂର ଏସଡିପିଓ କୁମାରୀ ଅର୍ଚ୍ଚିତା ମିତ୍ତଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।