ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ପରିଚାଳିତ ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ ପ୍ରକ୍ରିୟା ସଫଳତାର ସହ ଶେଷ ହେବା ପରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସାଇ ହଲ ଠାରେ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରକାଶିତ ଏହି ତାଲିକା ଅନୁଯାୟୀ ଜିଲ୍ଲାରେ ସମୁଦାୟ ୪,୧୫,୧୩୨ ଜଣ ନିର୍ବାଚକ ସ୍ଥାନ ପାଇଛନ୍ତି। ଏଥିମଧ୍ୟରେ ୨,୦୨,୫୪୬ ଜଣ ପୁରୁଷ, ୨,୧୨,୫୫୨ ଜଣ ମହିଳା ଏବଂ ୩୪ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି, ଯାହାଦ୍ୱାରା ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଥିବା ସ୍ପଷ୍ଟ ହୋଇଛି।