
ଯୋରନ୍ଦାରେ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଗ୍ରାମସଭା
ପଞ୍ଚାୟତର ବିକାଶ ପାଇଁ ୩୭୫ଟି ପ୍ରକଳ୍ପ ଉପରେ ଆଲୋଚନା
ଢେଙ୍କାନାଳ, ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ଯୋରନ୍ଦା ପଞ୍ଚାୟତରେ ଶୁକ୍ରବାର ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ୩୭୫ଟି ଅନୁମୋଦିତ ପ୍ରକଳ୍ପ ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଯୋରନ୍ଦା ସରପଞ୍ଚ ଆରତି ନାୟକ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜଳ ଜୀବନ ମିଶନ ଅଧିକାରୀ ସଚ୍ଚିଦାନନ୍ଦ ପୃଷ୍ଟି, ଅତିରିକ୍ତ ଜଳ ନିର୍ବାହୀ ଅଧିକାରୀ ସୌଦାମିନୀ ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏସ୍. ନୈବେଦ୍ୟ ଲଲାଟେନ୍ଦୁ, ପଞ୍ଚାୟତ ଉନ୍ନୟନ ଅଧିକାରୀ ବୈକୁଣ୍ଠନାଥ କର, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସତ୍ୟବ୍ରତ ରାଉତ, ଅତିରିକ୍ତ ଶିଳ୍ପ ଅଧିକାରୀ ଚନ୍ଦନ ପୋଥାଳ, ଅତିରିକ୍ତ ଶ୍ରମ ଅଧିକାରୀ ଗଦାଧର ବେହେରା ଓ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ଲେଙ୍କା ପ୍ରମୁଖ ମଞ୍ଚାସୀନ ହୋଇ ଭିବିଜୀ ରାମ୍ଜୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅଧୀନରେ ପଞ୍ଚାୟତରେ ମୋଟ ୩୭୫ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ଏଥିମଧ୍ୟରେ ଜଳ ସୁରକ୍ଷା ସମ୍ପର୍କିତ ୧୨୮ଟି, ଗ୍ରାମୀଣ ମୌଳିକ ଭିତ୍ତିଭୂମି ବିକାଶ ସମ୍ପର୍କିତ ୧୧୧ଟି, ଗ୍ରାମୀଣ ଜୀବିକାର ଉନ୍ନତି ସମ୍ପର୍କିତ ୯୮ଟି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସମ୍ପର୍କିତ ୩୮ଟି ପ୍ରକଳ୍ପ ରହିଛି।
ଆଗାମୀ ଦୁଇ ମାସ ମଧ୍ୟରେ ଗ୍ରାମସ୍ତରରେ ବୈଠକ ଆୟୋଜନ କରାଯାଇ ଉକ୍ତ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଗ୍ରାମବାସୀଙ୍କଠାରୁ ପ୍ରସ୍ତାବ ଓ ମତାମତ ସଂଗ୍ରହ କରାଯିବ। ଏହାପରେ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସଭାରେ ସୂଚନା ଦିଆଯାଇଥିଲା। ଏଥିସହ ଭିବିଜୀ ରାମ୍ଜୀ କାର୍ଯ୍ୟକ୍ରମ ଅଧୀନରେ ଶ୍ରମିକମାନଙ୍କୁ ୧୨୫ ଦିନର ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା।
ଅନ୍ୟପକ୍ଷରେ, ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ ଉପସ୍ଥିତ ଲୋକଙ୍କୁ ଶପଥପାଠ କରାଯାଇଥିଲା।
ଯୋରନ୍ଦା ପଞ୍ଚାୟତ ନିର୍ବାହୀ ଅଧିକାରୀ ବୈଦ୍ୟନାଥ ବେହେରା, ଗ୍ରାମ ରୋଜଗାର ସେବକ ପୃଥିବୀ ନାୟକ, ୱାର୍ଡ ସଭ୍ୟ ଓ ପଞ୍ଚାୟତ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଭିବିଜୀ ରାମ୍ଜୀ ଜିଲ୍ଲା ସଂଯୋଜକ ଦେବାଶିଷ ଦାସ ସଭାର ସଂଯୋଜନା କରିଥିଲେ। ଏହି ଗ୍ରାମସଭାରେ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ।
News Odia Odisha