ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ତଥା ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। ନଦୀ ତୁଠରେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଜଣେ ୫ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁଟି ହେଉଛି ଭଟସାହି ପଞ୍ଚାୟତ ବାମଦେବପୁର ଗ୍ରାମର ବସାସାହିର ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ଏକମାତ୍ର ପୁତ୍ର ରୋହନ ପଣ୍ଡା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଗତକାଲି (୧୦ ଜୁଲାଇ) ସକାଳ ପ୍ରାୟ ୯ଟା ସମୟରେ କୁନି ପୁଅ ରୋହନ ଘର ନିକଟରେ ଥିବା କଣ୍ଡିଆ ନଦୀ କୂଳକୁ ଚାଲିଯାଇଥିଲା। ସେଠାରେ ହଠାତ୍ ଗୋଡ଼ ଖସିଯିବାରୁ ସେ ନଦୀ ପାଣି ସ୍ରୋତରେ ଭାସି ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ରୋହନ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ଗ୍ରାମବାସୀଙ୍କ ସହ ମିଶି ଚାରିଆଡ଼େ ଖୋଜାଖୋଜି କରିଥିଲେ। ଶେଷରେ ଦିନ ପ୍ରାୟ ୧ଟା ସମୟରେ ନଦୀ ମଧ୍ୟରୁ ଶିଶୁଟିର ନିଶ୍ଚଳ ଦେହ ଉଦ୍ଧାର କରାଯାଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ ଧୁଷୁରୀ ଥାନା ପୁଲିସ ତୁରନ୍ତ ବାମଦେବପୁର ଗ୍ରାମରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଏନେଇ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଜ୍ୟୋତି ପ୍ରକାଶଙ୍କ ଏକମାତ୍ର ପୁତ୍ରକୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି