ଆଗକୁ ରାକ୍ଷୀ ପୂର୍ଣ୍ଣିମା। ଘରେ ଘରେ ଯେପରି ଭାଇ ଭଉଣୀଙ୍କ ଭିତରେ ଥିବା ସୁନ୍ଦର ବନ୍ଧନକୁ ରୀତିନୀତି ଅନୁଯାୟୀ ରକ୍ଷା ବନ୍ଧନ ଉତ୍ସବ ଜରିଆରେ ପାଳନ କରାଯିବ, ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ଦୁଇ ଭାଇ ବଳଭଦ୍ର ଏବଂ ଜଗନ୍ନାଥ ପିନ୍ଧିବେ ରାକ୍ଷୀ। ଏଥିପାଇଁ ଗତ ସରସ୍ୱତୀ ପୂଜାଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି, କଟକ ନୂଆବଜାର ପୋତାପୋଖରୀଠାରେ ଥିବା, ଶ୍ରୀ ଜଗନ୍ନାଥ ପାଟସେବା ବିକାଶ ପରିଷଦ ର ସେବକମାନେ। ବାଙ୍ଗାଲୋର,ପୁରୀ ତଥା ଅନ୍ୟାନ୍ୟ ଅଞ୍ଚଳରୁ ବାସୁଙ୍ଗା ପାଟ ଅଣାଯାଇ, ପ୍ରସ୍ତୁତ କରାଯାଇଛି ଏହି ସୁନ୍ଦର୍ ସୁନ୍ଦର ରାକ୍ଷୀ। ରାଜ୍ୟ,ଦେଶ ତଥା ଦେଶ ବାହାରେ ଥିବା ୭୦୦ ଜଗନ୍ନାଥ ମନ୍ଦିରକୁ ପଠାଯିବ ଏହି ରାକ୍ଷୀଗୁଡ଼ିକ। ଦୁଇ ଭାଇଙ୍କ ପାଇଁ ପ୍ରତି ମନ୍ଦିରକୁ ପଠା ଯିବ ଦୁଇଟି ଲେଖାଏଁ ରାକ୍ଷୀ। ଯୁକ୍ତରାଷ୍ଟ୍ର ଆମେରିକା,ନେଦରଲାଣ୍ଡ, ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶର ଜଗନ୍ନାଥ ମନ୍ଦିରକୁ ପଠାଯିବ ଏହି ରାକ୍ଷୀ ସବୁ। ପରିଷଦର ସେବକ ମାନେ ଗତ ୨୧ ବର୍ଷରୁ ଜାରି ରଖିଛନ୍ତି ଏହି ପରମ୍ପରା। ରାକ୍ଷୀ ପ୍ରସ୍ତୁତ ହେବା ପରେ ପ୍ରଥମେ ପୁରୀ ନିଆଯାଏ, ସେଠାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିକଟରେ ପୂଜାର୍ଚ୍ଚନା ପରେ, କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିଆଯାଏ ଏବଂ ପ୍ରସ୍ତୁତ ହୋଇଥିବା ତାଲିକା ଅନୁଯାୟୀ ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିରକୁ ପଠାଯାଇ ଥାଏ।
Konark, Puri | Aug 5, 2026