
ମହିଳାଙ୍କ ପାଇଁ ମାଗଣା ଆମ ବସ୍ ସେବା , ୭ ସହରରେ ମିଳିବ ସୁବିଧା ....
#rakhibandhan #amabus #exclusivenews #swabhimaniodia
ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ଯାତ୍ରୀଙ୍କୁ ବଡ଼ ଉପହାର ଦେଇଛି କ୍ରୁଟ୍ (CRUT) । ମହିଳାଙ୍କ ନିରାପଦ, ସୁବିଧାଜନକ ଓ ସୁଲଭ ଯାତାୟାତକୁ ଗୁରୁତ୍ୱ ଦେଇ ୨୭ ଅଗଷ୍ଟ ୨୦୨୬ରେ ରାଜ୍ୟର ବିଭିନ୍ନ ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍ରେ ମହିଳାଙ୍କ ପାଇଁ ଯାତ୍ରା ସମ୍ପୂର୍ଣ୍ଣ ମାଗଣା କରାଯାଇଛି । ଏହି ସୁବିଧା ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝରରେ ଉପଲବ୍ଧ ହେବ। ଏହା ଫଳରେ ଦିନକରେ ଏକ ଲକ୍ଷରୁ ଅଧିକ ମହିଳା ଯାତ୍ରୀ ଉପକୃତ ହେବେ ବୋଲି କ୍ରୁଟ୍ ଆଶା ପ୍ରକାଶ କରିଛି । ମହିଳାମାନେ ଯେପରି ଆର୍ଥିକ ଚିନ୍ତା ବିନା ନିଜର ସାମାଜିକ, ପାରିବାରିକ ଓ ଆର୍ଥିକ କାର୍ଯ୍ୟରେ ସହଜରେ ଯୋଗଦେଇପାରିବେ, ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ସେହି ସୁଯୋଗ ସୃଷ୍ଟି କରିବା । ଏହା ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣ ଅଭିଯାନ ସହ ସମନ୍ୱିତ ବୋଲି କୁହାଯାଇଛି ।
ଆମ ବସ୍ରେ GPS ଟ୍ରାକିଂ, CCTV ନିରୀକ୍ଷଣ, ପ୍ରଶିକ୍ଷିତ କର୍ମଚାରୀ ଓ ଯାତ୍ରୀ ସହାୟତା ବ୍ୟବସ୍ଥା ରହିଛି। ଏହି ସୁରକ୍ଷା ବ୍ୟବସ୍ଥା ମହିଳାଙ୍କୁ ଅଧିକ ଆତ୍ମବିଶ୍ୱାସର ସହ ଯାତ୍ରା କରିବାର ସୁଯୋଗ ଦେଉଛି । କ୍ରୁଟ୍ ଏହି ରକ୍ଷା ବନ୍ଧନରେ ନାଗରିକମାନଙ୍କୁ ଜନପରିବହନକୁ ପ୍ରାଥମିକତା ଦେବାକୁ ଆହ୍ୱାନ କରିଛି। ଆମ ବସ୍ ବ୍ୟବହାର ଦ୍ୱାରା ଟ୍ରାଫିକ୍ ଭିଡ଼ ହ୍ରାସ, ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଚ୍ଛ ସହରୀ ପରିବେଶ ଗଠନରେ ମଧ୍ୟ ନାଗରିକମାନେ ଅବଦାନ ରଖିପାରିବେ । ତେବେ ମାଗଣା ଯାତ୍ରା ସତ୍ତ୍ୱେ ପ୍ରତ୍ୟେକ ମହିଳା ଯାତ୍ରୀଙ୍କ ପାଇଁ ଜିରୋ ଟିକେଟ୍ (Zero Ticket) ନେବା ବାଧ୍ୟତାମୂଳକ ବୋଲି କ୍ରୁଟ୍ ସ୍ପଷ୍ଟ କରିଛି। ଯାତ୍ରୀମାନେ ବସ୍ କର୍ମଚାରୀଙ୍କ ସହ ସହଯୋଗ କରିବା ଓ ଯାତ୍ରୀ ଶିଷ୍ଟାଚାର ପାଳନ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି ।