ଛତିଶଗଡ଼ରେ ୨୪୫ କେଜି ଗଞ୍ଜେଇ ଜବତ ଘଟଣାକୁ ନେଇ ଏବେ ମାଲକାନଗିରିରେ ଚର୍ଚ୍ଚା ।
ସୂଚନା ଅନୁସାରେ, ମାଲକାନଗିରିରୁ ଛତିଶଗଡ଼ ଅଭିମୁଖେ ଯାଉଥିବା ‘ଜାଗୁଆର’ ନାମକ ଏକ ଘରୋଇ ବସ୍କୁ ଛତିଶଗଡ଼ର ପାଣ୍ଡରୀ ଥାନା ପୋଲିସ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ବସ୍ର ଡିକି ଓ ସିଟ୍ ତଳୁ ୨୪୫ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି।
ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।
ସୂଚନା ଅନୁସାରେ, ଗିରଫ ଦିଲୀପ କୁମାର ମାଲକାନଗିରିର ଜଣେ ବରିଷ୍ଠ ବିଜେଡି ନେତ୍ରୀଙ୍କ ସ୍ୱାମୀ। ଏହି ଘଟଣାରେ ବସ୍ ଚାଳକ ଓ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି।
ତିନି ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ, ଗଞ୍ଜେଇ ଚାଲାଣ ପଛରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ଅଧିକ ତଦନ୍ତ ଜାରି ରହିଛି।