ଧର୍ମେନ୍ଦ୍ରଙ୍କ ପରେ ଗଣ୍ଡଙ୍କ ପାଳି! ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ଯୁବ ଛାତ୍ର ସଂଘ । ରାଜ୍ୟରେ ପାଠ୍ୟ ପୁସ୍ତକରେ ତ୍ରୁଟିକୁ ନେଇ ରାଜନୈତିକ ଓ ଛାତ୍ର ମହଲରେ ବଢ଼ୁଛି ଅସନ୍ତୋଷ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଯୁବ ଛାତ୍ର ସଂଘ ଆନ୍ଦୋଳନକୁ ତୀବ୍ର କରିଛି। ମନ୍ତ୍ରୀ ଇସ୍ତଫା ନଦେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଦରୁ ହଟାନ୍ତୁ ବୋଲି ସଙ୍ଗଠନ ଦାବି କରିଛି।ଯୁବ ଛାତ୍ର ସଂଘର ଅଭିଯୋଗ ଅନୁସାରେ, ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ରହିଥିବାରୁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଭାବିତ ହେଉଛି। ଏହାର ନୈତିକ ଦାୟିତ୍ୱ ଗ୍ରହଣ କରି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସଂଗଠନ ଦାବି କରିଛି। ଛାତ୍ର ସଂଗଠନ କହିଛି, ଇସ୍ତଫା ନହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ମନ୍ତ୍ରୀଙ୍କୁ ପଦରୁ ହଟାଇବା ଉଚିତ୍। ଅଭିଯୋଗ ମୁତାବକ ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା ଏବଂ ପାଠ୍ୟ ପୁସ୍ତକର ତ୍ରୁଟି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ରାଜ ରାସ୍ତାରେ ବିକ୍ଷୋଭ କରୁଥିବା ଛାତ୍ରଛାତ୍ରୀ ମାନେ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଇବା ସହ ୯ ଦଫା ଦାବି ରଖିଛନ୍ତି। ସେମାନଙ୍କ ଚେତାବନୀ, ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ। ତେବେ ଛାତ୍ରଙ୍କ ଦାବିକୁ ସରକାର କିପରି ଗ୍ରହଣ କରୁଛନ୍ତି ଏବଂ ଗଣଶିକ୍ଷା ବିଭାଗ କିମ୍ବା ସରକାର ପକ୍ଷରୁ ଏହି ଅଭିଯୋଗ ଉପରେ କଣ ପ୍ରତିକ୍ରିୟା ଆସୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।