ଜୟପୁରରେ ଭିଜିଲାନ୍ସର ବଡ଼ ଚଢ଼ାଉ : ଲାଞ୍ଚ ନେଉଥିବା ବେଳେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ ଧରାପଡ଼ିଲେ ।
ଜୟପୁରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନରେ ଜୟପୂର ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ ରାଉତଙ୍କୁ ଜଣେ ବାଲି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ରଙ୍ଗେହାତ ଧରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ବାଲି ବ୍ୟବସାୟ ସମ୍ପର୍କିତ ଏକ କାର୍ଯ୍ୟରେ ସହଯୋଗ କରିବା ପାଇଁ ଉପନିର୍ଦ୍ଦେଶକ ଲାଞ୍ଚ ଦାବି କରିଥିବା ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଫାନ୍ଦ ପତାଯାଇଥିଲା। ଏହି ଅଭିଯାନରେ ସେ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଥିଲେ। ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଜୟପୁର ଓ କଟକର ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ତାଙ୍କର ବାସଭବନ, କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ତଲାସି ଚାଲିଥିବା ଜଣାପଡ଼ିଛି। ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଓ ତଦନ୍ତ ଜାରି ଥିବାରୁ ଅଧିକ ବିବରଣୀ ଅପେକ୍ଷା କରାଯାଇଛି। ତଦନ୍ତ ଶେଷ ହେବା ପରେ ଲାଞ୍ଚ କାରବାର ସହ ଜଡ଼ିତ ଅନ୍ୟାନ୍ୟ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।