👉 ଟେମରୀ ପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ଶିବିର
ମୁଖ୍ୟଅତିଥି ଭାବେ ଯୋଗଦେଲେ ବିଡିଓ ପ୍ରଫୁଲ୍ଲ କୁମାର ଅଦୁ
ପଦ୍ମପୁର/ପାଇକମାଳ, ୨୯/୦୯: ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକର ଟେମରୀ ଗ୍ରାମ ପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ମୂରଲୀକ୍ରିଷ୍ଣା ଫାଉଣ୍ଡେସନ, କ୍ରିଷ୍ଣା ବିକାଶ ହସ୍ପିଟାଲ ଓ ଟେମରୀ ଗ୍ରାମ ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ପାଇକମାଳ ବିଡିଓ ପ୍ରଫୁଲ୍ଲ କୁମାର ଅଦୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।
ଶିବିରରେ ସାଧାରଣ ରୋଗର ଚିକିତ୍ସା ସହ ଇସିଜି ପରୀକ୍ଷା ମାଗଣାରେ କରାଯାଇଥିଲା। ଏଥିସହ ଆବଶ୍ୟକ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ଟେମରୀ ସରପଞ୍ଚ ଦିଲ୍ଲୀପ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବିକାଶ ଫାଉଣ୍ଡେସନର ଡାକ୍ତର ଅଜିତ କୁମାର ବାରିକଙ୍କ ସମେତ ବରିଷ୍ଠ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସାସେବା ପ୍ରଦାନ କରିଥିଲେ।
ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ବହୁ ରୋଗୀ ଯୋଗଦେଇ ଚିକିତ୍ସାସେବା ଗ୍ରହଣ କରିବା ସହ ଆୟୋଜକଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ସମାଜସେବୀ ଦେବାର୍ଚ୍ଚନ ସାହୁ, କିଶୋର ରଣା, ତୁକାରାମ ଠାକୁର, ଶିବାଶିଷ ପ୍ରଧାନ, ଆଶିଷ ବେହେରା, ବିଶି ରଣା, କୈଳାସ ପଟେଲ, ସମସ୍ତ ୱାର୍ଡ ମେମ୍ବର, ଭେଙ୍ଗରାଜପୁର ସରପଞ୍ଚ ସୁଦାମ ଚରଣ ସେଠୀ ଓ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ସମେତ ଅନ୍ୟମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Bargarh, Bargarh (Baragarh) | Sep 30, 2026