ଜୟପୁର ଘାଟିରେ ଭୟଙ୍କର ଟ୍ରାଫିକ୍ ଜାମ୍ : ହଜାର ହଜାର ଗାଡ଼ି ଫସି, ଯାତ୍ରୀ ହନ୍ତସନ୍ତ
ଜୟପୁର ଘାଟିରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ୍ ଲାଗି ରହିଥିବାରୁ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଫଳରେ ହଜାର ହଜାର ମାଲବାହୀ ଟ୍ରକ୍, ବସ୍, କାର୍ ଓ ଅନ୍ୟାନ୍ୟ ଯାନବାହନ ଘାଟି ରାସ୍ତାରେ ଅଟକି ରହିଥିବା ବେଳେ ଯାତ୍ରୀମାନେ ନାହିଁନଥିବା ଦୁର୍ଭୋଗର ସମ୍ମୁଖୀନ ହେଉଛନ୍ତି।
ଘାଟିରେ ଫସି ରହିଥିବା ଯାତ୍ରୀମାନଙ୍କ କହିବା ଅନୁସାରେ, ଜାତୀୟ ରାଜପଥର ଘାଟି ଅଞ୍ଚଳର ରାସ୍ତା ସ୍ଥାନେ ସ୍ଥାନେ ଖାଲଖମା ଓ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ଏହାର ପ୍ରଭାବରେ ବିଶେଷକରି ମାଲବାହୀ ଟ୍ରକ୍ ଓ ଭାରି ଯାନଗୁଡ଼ିକ ବୁଲାଣି ନିକଟରେ ଅଟକି ପଡ଼ୁଛନ୍ତି, ଯାହା ଟ୍ରାଫିକ୍ ଜାମ୍କୁ ଆହୁରି ଗୁରୁତର କରିଦେଇଛି। ଦୀର୍ଘ ସମୟ ଧରି ଯାନବାହନ ଅଟକି ରହିବା ଫଳରେ ଛୋଟ ଶିଶୁ, ବୃଦ୍ଧ ଓ ମହିଳାଙ୍କ ସମେତ ସମସ୍ତ ଯାତ୍ରୀ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସୁବିଧାର ଅଭାବରେ ଅସୁବିଧା ଭୋଗୁଛନ୍ତି। ଯାତ୍ରୀମାନେ ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ସ୍ୱାଭାବିକ କରିବା ସହ ଘାଟି ରାସ୍ତାର ମରାମତି ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସାଧାରଣରେ ମଧ୍ୟ ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି।