ବିଜେଡି ପକ୍ଷରୁ ଜୟପୁରରେ ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ
ସରକାରଙ୍କ ବିଭିନ୍ନ ନୀତିକୁ ନେଇ ବର୍ଷିଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ
ଜୟପୁର, ୨/୧୦(ନି ପ୍ର): ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ନେତୃତ୍ୱରେ ଜୟପୁର ନିର୍ବାଚନମଣ୍ଡଳୀ ପକ୍ଷରୁ ଜୟପୁର ବ୍ଲକ ଅନ୍ତର୍ଗତ ବାର୍ଲାହାଣ୍ଡି ଗ୍ରାମରୁ ପଦଯାତ୍ରା ବାହାରି ଫାମ୍ପୁଣି ଗ୍ରାମର ଠାକୁରାଣୀ ମନ୍ଦିର ନିକଟରେ ପହଞ୍ଚିଥିଲା।ଏହି ଅବସରରେ ଶ୍ରୀ ନନ୍ଦ ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ଦେଶ ପ୍ରତି ଅବଦାନକୁ ସ୍ମରଣ କରିଥିଲେ। ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶ ଅନୁସରଣ କରି ଦେଶରେ ଶାନ୍ତି ଓ ସୁଖସମୃଦ୍ଧି ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଥିବା ସେ କହିଥିଲେ। ଏହି ସଭାରେ ଶ୍ରୀ ନନ୍ଦ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକଳାପକୁ ନେଇ ସମାଲୋଚନା କରିଥିଲେ।ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବା ସେ ଅଭିଯୋଗ କରିଥିଲେ। ଚାଷୀଙ୍କ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ବିକାଶମୂଳକ କାର୍ଯ୍ୟର ମନ୍ଥରତା ଓ ବେକାରୀ ସମସ୍ୟାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ।ଏଥିସହ ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍କୁ ନେଇ କୋରାପୁଟ ଜିଲ୍ଲାରେ ବଡ଼ ଧରଣର ଆର୍ଥିକ ଅନିୟମିତତା ହେବାର ଅଭିଯୋଗ କରିବା ସହ ଆଦାନୀ କମ୍ପାନୀକୁ ଅହେତୁକ ଅନୁକମ୍ପା ଦିଆଯାଉଥିବା ଶ୍ରୀ ନନ୍ଦ ଅଭିଯୋଗ କରିଥିଲେ।ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ମଧ୍ୟ ଶ୍ରୀ ନନ୍ଦ ମତ ରଖିଥିଲେ। ରାଜ୍ୟ ସରକାର ନିର୍ବାଚନ କରିବାକୁ ଚାହୁଁନଥିବା ସେ ଅଭିଯୋଗ କରିବା ସହ ନିର୍ବାଚନ ହେଲେ ବିଜେପି ଗୋଟିଏ ଆସନ ମଧ୍ୟ ଜିତିପାରିବ ନାହିଁ ବୋଲି ଦାବି କରିଥିଲେ।ବର୍ତ୍ତମାନ ରାଜ୍ୟରେ ବିଜେପି ନେତା ଓ କର୍ମୀମାନେ ଲୋକଙ୍କ ପ୍ରଶ୍ନର ସମ୍ମୁଖୀନ ହେଉଥିବା ଏବଂ ସରକାରଙ୍କ ଉପରେ ଜନଅସନ୍ତୋଷ ବଢ଼ୁଥିବା ସେ କହିଥିଲେ।ଆଗାମୀ ଦିନରେ ଲୋକେ ପୁଣିଥରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରକୁ ଫେରାଇ ଆଣିବା ପାଇଁ ମନସ୍ଥ କରିଥିବା ଶ୍ରୀ ନନ୍ଦ ଦାବି କରିଥିଲେ। ଏହି ପଦଯାତ୍ରାରେ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ବିଜେଡି ନେତା ନାଗୁ ଦୋରା,ବାଲିଙ୍କି ରାଓ,ସୂର୍ଯ୍ୟ ନାରାୟଣ ରଥଙ୍କ ସମେତ ବହୁ ଦଳୀୟ ନେତା, କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ।