ମାଲକାନଗିରି ବ୍ଲକ୍ ଅନ୍ତର୍ଗତ ଗୋରାଖୁଣ୍ଟା ପଞ୍ଚାୟତର କୁର୍ଷୁର୍ୱାଡା ଗ୍ରାମରେ ଗତବର୍ଷ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା ଧାନମଣ୍ଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ କିଛି କ୍ଷୁଦ୍ରମନା ଓ ପ୍ରଭାବଶାଳୀ ବ୍ୟକ୍ତି ଚକ୍ରାନ୍ତ ଚଳାଇଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତର ମୋଟ ୯ଟି ଗ୍ରାମ ମଧ୍ୟରୁ ୭ଟି ଗ୍ରାମର ହଜାର ହଜାର ଚାଷୀଙ୍କ ପାଇଁ କୁର୍ଷୀୱାଡା ଧାନମଣ୍ଡି ସବୁଠାରୁ ନିକଟବର୍ତ୍ତୀ ଏବଂ ସୁବିଧାଜନକ ଅଟେ। ଗତ ବର୍ଷ ଏହିଠାରେ ଧାନ କିଣାବିକା ହେବା ଦ୍ୱାରା ଚାଷୀମାନେ ବିନା କୌଣସି ଅସୁବିଧା ଓ ପରିବହନ ସମସ୍ୟାରେ ନିଜର କଠିନ ପରିଶ୍ରମର ଫଳ ପାଇପାରିଥିଲେ। ମାତ୍ର କିଛି ଅସାଧୁ ବ୍ୟକ୍ତି ନିଜର ସ୍ୱାର୍ଥ ହାସଲ ପାଇଁ ଏହି ଧାନମଣ୍ଡିକୁ ଗୋରାଖୁଣ୍ଟା ସଦର ଗ୍ରାମକୁ ସ୍ଥାନାନ୍ତର କରିବାକୁ ଅପଚେଷ୍ଟା ଚଳାଇଛନ୍ତି, ଯାହାକି ଶହ ଶହ ନିରୀହ ଚାଷୀଙ୍କୁ ପୁଣିଥରେ ଗଭୀର ସମସ୍ୟା ଓ ଅହେତୁକ ପରିଶ୍ରମ ମଧ୍ୟକୁ ଠେଲିଦେବ।