
ଗୋଟିଏ ଦିନରେ ଗଣେଷ ମୁର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ି ୧୧ ଜଣଙ୍କ ଅକାଳ ଜଳ ସମାଧି ....
#exclusivenews #ganeshpuja #swabhimaniodia
ଖୁସି ଆଉ ଉତ୍ସବର ମାହୋଲ ଭିତରେ ରାଜ୍ୟର ଏକାଧିକ ସ୍ଥାନରୁ ଆସିଛି ଦୁଃଖଦ ଖବର। ପାର୍ବଣର ଆନନ୍ଦ କେମିତି ମୁହୂର୍ତ୍ତକ ଭିତରେ କାନ୍ଦବୋବାଳି ଓ କୋହରେ ବଦଳିଯାଇପାରେ, ଦେଖିବାକୁ ମିଳିଛି ତାର ଜ୍ୱଳନ୍ତ ଉଦାହରଣ । ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ବିସର୍ଜନ ଓ ପୂଜା ପ୍ରସ୍ତୁତି ବେଳେ ଘଟିଥିବା ପୃଥକ ପୃଥକ ଅଘଟଣରେ ଗୋଟିଏ ଦିନରେ ଯାଇଛି ୧୧ଟି ଅମୂଲ୍ୟ ଜୀବନ। ପାର୍ବଣରେ ସଜେଇ ହୋଇଥିଲା ଗାଁରୁ ସହର । କିନ୍ତୁ ସମୟର ନିଷ୍ଠୁର ଖେଳ ସବୁ କିଛି ବଦଳାଇ ଦେଲା। ଯେଉଁ ହାତରେ ପୂଜା ଥାଳି ଥିଲା, ସେଇ ହାତ ପାଲଟିଛି ନିଶ୍ଚଳ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ୪ ଛାତ୍ରଙ୍କ ସଲୀଳ ସମାଧିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଛାଇଛି ଶୋକର ଛାୟା । ମାତ୍ର ୧୪ ବର୍ଷର ଦୁଇ ନିଷ୍ପାପ ଶିଶୁ, ଆଦର୍ଶ ସାହୁ ଓ ପ୍ରିତମ ସାମିଲଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ସେପଟେ ଦିଗପହଣ୍ଡିର ସିଦ୍ଧିଖଣ୍ଡି ଗାଁରେ ମଧ୍ୟ ମୂର୍ତ୍ତି ବିସର୍ଜନ ବେଳେ ଅଷ୍ଟମ ଶ୍ରେଣୀର ଛାତ୍ର ସୀତାଂଶୁ ସ୍ୱାଇଁଙ୍କର ଜୀବନ ଯାଇଛି ।
କେବଳ ଗଞ୍ଜାମ ନୁହେଁ, ଜଗତସିଂହପୁର ପାରାଦୀପ ଏରସମା ଥାନା ଅଧୀନ ଗୋପାଳପୁର ନଦୀରେ ମଧ୍ୟ ଘଟିଛି ଏଭଳି ଏକ ହୃଦୟବିଦାୟକ ଘଟଣା। ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୪ ଜଣ ଯୁବକ ନଦୀରେ ଭାସିଯାଇଥିବାବେଳେ ଏଯାବତ୍ ସମସ୍ତ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସେପଟେ ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ସଲଙ୍ଗାବାହାଲ ଗାଁରେ କରମା ପୂଜା ପାଇଁ ଶଙ୍ଖ ନଦୀରୁ ବାଲି ଆଣିବାକୁ ଯାଇଥିବା ୩ ଜଣ ନାବାଳିକା ମଧ୍ୟ ନଦୀରେ ବୁଡ଼ି ଜୀବନ ହାରିଛନ୍ତି । କେବଳ ପାଣି ନୁହେଁ, ଢେଙ୍କାନାଳ କାମାକ୍ଷାନଗର କନ୍ଧବୋଲ ଗାଁରେ ଗଣେଶ ଭସାଣି ବେଳେ ଡିଜେ ସାଉଣ୍ଡ ଲାଗିଥିବା ଏକ ପିକ୍ଅପ୍ ଗାଡ଼ି ଧକ୍କାରେ ଜାତକ ପଧାନ ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଅଭିଯୋଗ ପରେ ଗାଡ଼ିକୁ ଜବତ କରିଛି କାମାକ୍ଷାନଗର ପୋଲିସ । ଜୀବନରେ ଆନନ୍ଦ ଭରିବାକୁ ପର୍ବପର୍ବାଣି ପାଳନ ହେଉଥିବାବେଳେ ଅସାବଧାନତା କିମ୍ବା ଅବହେଳା ମୁହଁରୁ ଛଡ଼ାଇ ନେଉଛି ଖୁସି । ଉଜୁଡ଼ି ଯାଇଛି ଅନେକ ପରିବାରର ଖୁସି । ଏଭଳି ଦୁଃଖଦ ସମୟରେ ପ୍ରତ୍ୟେକ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆଗକୁ ଅଧିକ ସତର୍କ ରହିବା ନିହାତି ଜରୁରୀ।