
ଟଙ୍କା ବିଡ଼ାର ଲୋଭ ପଡ଼ିଲା ମହଙ୍ଗା... ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ। ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରିଲା ଭିଜିଲାନ୍ସ। ଚଢ଼ାଉ ବେଳେ ଆଉ ୨ ଲକ୍ଷ ୯୦ ହଜାର ଟଙ୍କା ନଗଦ ଜବତ। ମୋଟ ୪ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଛି।"କୋରାପୁଟ ଜିଲ୍ଲା ଜୟପୁରର ଭୂତତ୍ତ୍ୱ ଉପନିର୍ଦ୍ଦେଶକ ତଥା ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ରଙ୍ଗେହାତ ଗିରଫ କରିଛି।
ସୂଚନା ଅନୁଯାୟୀ, ବାଲି ଉତ୍ସର ଲିଜ୍ ଅବଧି ବୃଦ୍ଧି କରାଇବା ଏବଂ ଭବିଷ୍ୟତରେ ସ୍ପଟ୍ ନିଲାମରେ ସୁବିଧା ଯୋଗାଇ ଦେବା ପାଇଁ ଜଣେ ଲିଜ୍ ଧାରକଙ୍କ ଠାରୁ ସତ୍ୟଜିତ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଯୋଜନା ମୁତାବକ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୨ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାପରେ ଜୟପୁର, କଟକର ବିଦ୍ୟାଧରପୁର ଏବଂ ମାହାଙ୍ଗାର ଓଳକଣାସ୍ଥିତ ତାଙ୍କ ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଜୟପୁର ବାସଭବନରୁ ଆଉ ୨ ଲକ୍ଷ ୯୦ ହଜାର ଟଙ୍କା ନଗଦ ଜବତ କରାଯାଇଛି। ଫଳରେ ମୋଟ ନଗଦ ଜବତ ପରିମାଣ ୪ ଲକ୍ଷ ୯୦ ହଜାର ଟଙ୍କାରେ ପହଞ୍ଚିଛି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ପି.ଏସ୍. କେସ୍ ନଂ–୧୪/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା–୭ ଅନୁଯାୟୀ ମାମଲା ରୁଜୁ କରି ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି।