ଅନ୍ତର୍ରାଜ୍ୟ ଗୋରୁ ଚାଲାଣ ରାକେଟ୍ ୯୧ ଗୋରୁ ସହ କଣ୍ଟେନର ଜବତ, ଦୁଇ ଅଭିଯୁକ୍ତ ଗିରଫ।
ଜୟପୁର ଟାଉନ ଥାନା ପୁଲିସ ଗୋରୁ ଚାଲାଣ ମାମଲାରେ ବଡ଼ ସଫଳତା ହାସଲ କରିଛି। ଏହି ଘଟଣାରେ ଉତ୍ତର ପ୍ରଦେଶ ଓ ହରିୟାଣାର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ନ୍ୟାୟାଳୟକୁ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶର ସାହାରାନପୁର ଜିଲ୍ଲା, କୈଳାଶପୁର ଗ୍ରାମର ସୌକିନ ଅଲି (୨୨) ଏବଂ ହରିୟାଣାର ପଲୱାଲ ଜିଲ୍ଲା, ଉତାୱାଡ଼ ଥାନା ଅଧୀନ ମୁଗଲ ମହଲ୍ଲା ମଲାଇ ଗ୍ରାମର ସାକିଲ (୨୭)। ଜୟପୁର ଟାଉନ ଥାନା କେସ୍ ନଂ ୨୭୧/୨୬, ତାରିଖ୦୩.୦୭.୨୦୨୬ ଅନୁସାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ର ଧାରା ୩୦୩(୨), ୧୧୨(୨), ୩(୫), ଗୋହତ୍ୟା ନିବାରଣ ଆଇନର ଧାରା ୭(୧) ଏବଂ ପଶୁ ନିର୍ଯାତନା ନିବାରଣ ଆଇନର ଧାରା ୧୧(ଏ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।ପୁଲିସ ଚଢ଼ାଉ ବେଳେ ଗୋଟିଏ କଣ୍ଟେନର ଟ୍ରକ୍ ନମ୍ବର ଟିଏସ୍-୧୨-ୟୁ-୨୮୦୯ ସହ ୯୧ଟି ଗୋରୁ ଜବତ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ନ୍ୟାୟାଳୟରେ ହାଜର କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜୟପୁର ଟାଉନ ଥାନା ପୁଲିସ ପକ୍ଷରୁ ଜାରି ରହିଛି।