
ଆଠ ଘଣ୍ଟାରେ କୋଲିୟରୀ ପୋଲିସକୁ ମିଳିଛି ବଡ଼ ସଫଳତା: ୭ ଅଭିଯୁକ୍ତ ଗିରଫ, ୧ ଲକ୍ଷ ୪୭ ହଜାର ଟଙ୍କା ଓ ୨୧.୨୮୦ ଗ୍ରାମ ଶୁଦ୍ଧ ସୁନା ଜବତ।
ଅନୁଗୁଳ ଜିଲ୍ଲା କୋଲିୟାରୀ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚୋରି ମାମଲା ରୁଜୁ ହେବାର ମାତ୍ର ଆଠ ଘଣ୍ଟା ମଧ୍ୟରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧ ଲକ୍ଷ ୪୭ ହଜାର ଟଙ୍କା ନଗଦ ଏବଂ ୨୧.୨୮୦ ଗ୍ରାମ ଶୁଦ୍ଧ ତରଳାଇଥିବା ସୁନା ଜବତ କରିଛି।
ସୂଚନା ଅନୁସାରେ, ଡେରା କୋଲିୟାରୀର ବାସିନ୍ଦା ସାର୍ଥକ ସିଙ୍ଘଲଙ୍କ ଘରୁ ଗତ ଜୁଲାଇ ୨ ତାରିଖରେ ପ୍ରାୟ ୬ ତୋଳା ଓଜନର ଦୁଇଟି ସୁନା ବାଲା ଚୋରି ହୋଇଥିଲା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା। ବହୁ ଖୋଜାଖୋଜି ପରେ ଜୁଲାଇ ୭ ତାରିଖରେ ସେ କୋଲିୟାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଏଫ୍ଆଇଆର୍ ରୁଜୁ ହେବା ପରେ ଅନୁଗୁଳ ଏସ୍ପିଙ୍କ ତତ୍ତ୍ୱାବଧାନରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳ ପରିଦର୍ଶନ, ସିସିଟିଭି ଫୁଟେଜ୍ ଯାଞ୍ଚ ଏବଂ ସ୍ଥାନୀୟ ଗୁଇନ୍ଦା ସୂଚନା ଆଧାରରେ ଘରୋଇ ସହାୟକ ତୀର୍ଥ ମୁଖୀଙ୍କ ଉପରେ ସନ୍ଦେହ ହୋଇଥିଲା। ପଚରାଉଚରା ବେଳେ ସେ ଚୋରି କରିଥିବା କଥା ସ୍ୱୀକାର କରିଥିଲେ।
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ତୀର୍ଥ ମୁଖୀ ଦୀପକ ଚାନ୍ଦଙ୍କ ସହଯୋଗରେ ଚୋରି ସୁନାକୁ ଶର୍ମା ଛକର ଏକ ଗୋଲ୍ଡ ରିଫାଇନେରୀରେ ତରଳାଇଥିଲେ। ପରେ ସେହି ସୁନାର ଏକ ଅଂଶ ବିଭିନ୍ନ ଅଳଙ୍କାର ଦୋକାନକୁ ବିକ୍ରି କରାଯାଇଥିଲା ଏବଂ ଅବଶିଷ୍ଟ ସୁନା ରିଫାଇନେରୀ ମାଲିକଙ୍କ ପାଖରେ ରହିଥିଲା।
ଅଭିଯୁକ୍ତଙ୍କ ବୟାନ ଆଧାରରେ ପୋଲିସ କ୍ରମାଗତ ଚଢ଼ାଉ କରି ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୪୭ ହଜାର ଟଙ୍କା ନଗଦ, ୨୧.୨୮୦ ଗ୍ରାମ ଶୁଦ୍ଧ ସୁନା ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ଏହି ସଫଳ ଅପରେସନ୍ରେ କୋଲିୟାରୀ ଥାନା ଆଇଆଇସି ଧୀରେଶ କୁମାର ଦାସ, ତଦନ୍ତକାରୀ ଅଧିକାରୀ ଏସ୍ଆଇ ବଳରାମ ସାମନ୍ତରାୟଙ୍କ ସହ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ସମଗ୍ର ଅଭିଯାନକୁ ଅନୁଗୁଳ ଜିଲ୍ଲା ଏସ୍ପି, ଅତିରିକ୍ତ ଏସ୍ପି ଏବଂ ତାଳଚେର ଏସ୍ଡିପିଓ ନିରନ୍ତର ତଦାରଖ କରୁଥିଲେ।
ମାତ୍ର ଆଠ ଘଣ୍ଟା ମଧ୍ୟରେ ମାମଲାର ପର୍ଦ୍ଦାଫାସ କରି ଚୋରି ହୋଇଥିବା ସମ୍ପତ୍ତିର ବଡ଼ ଅଂଶ ଉଦ୍ଧାର କରିବାକୁ ନେଇ ଅନୁଗୁଳ ପୋଲିସର ଏହି ସଫଳତାକୁ ସାଧାରଣରେ ପ୍ରଶଂସା । ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ। #angulexpress
Anugul, Angul | Jul 8, 2026