
ଆଗକୁ ମାଡ଼ି ଆସୁଛି ଭୟଙ୍କର ବିପଦ, ଇସ୍ରୋ ଦେଲା ଚେତାବନୀ ...
#cycloneinodisha #swabhimaniodia
ଆଗାମୀ ତିନି ମାସ ମଧ୍ୟରେ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟାର ବିପଦ ବଢ଼ିପାରେ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଅନୁଯାୟୀ, ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ତିନୋଟି ଶକ୍ତିଶାଳୀ ଝଡ଼ ସୃଷ୍ଟି ହୋଇପାରେ । ସେମାନଙ୍କର ଶକ୍ତି ପ୍ରତିବର୍ଷ ଆସୁଥିବା ଘୂର୍ଣ୍ଣିଝଡ଼ ତୁଳନାରେ ହାରାହାରି ୮୩ ପ୍ରତିଶତ ଅଧିକ ହେବ ବୋଲି ଆକଳନ କରାଯାଇଛି । ତେବେ ଏହା କଣ ଉପକୂଳବର୍ତ୍ତୀ ଅଞ୍ଚଳରେ ବିପଦ ବୃଦ୍ଧି କରିବ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଆଗାମୀ ତିନି ମାସ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ହୋଇପାରେ । ଇସ୍ରୋ ଏହାର ଉପଗ୍ରହ ଏବଂ ପାଣିପାଗ ପର୍ଯ୍ୟବେକ୍ଷଣ ପ୍ରଣାଳୀରୁ ମିଳିଥିବା ତଥ୍ୟ ଆଧାରରେ ଏହି ସତର୍କତା ଜାରି କରିଛି । ଆସନ୍ତା ମାସ ଅକ୍ଟୋବର ଏବଂ ଡିସେମ୍ବର ମଧ୍ୟରେ ବଙ୍ଗୋପସାଗର ଏବଂ ଆରବ ସାଗରରେ ତିନୋଟି ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇପାରେ। ଇସ୍ରୋ ସତର୍କ କରାଇ ଦେଇଛି ଯେ ଘୂର୍ଣ୍ଣିଝଡ଼ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ସହ ବର୍ଷା ଏବଂ ଉଚ୍ଚ ଲହଡ଼ି ମାଡ଼ି ଆସିପାରେ ।
---- ୪୪ ବର୍ଷର ରେକର୍ଡ ଭାଙ୍ଗିପାରେ -----
ଇସ୍ରୋ ଅନୁଯାୟୀ, ଘୂର୍ଣ୍ଣିଝଡ଼ର ତୀବ୍ରତା ୪୪ ବର୍ଷର ରେକର୍ଡ ଭାଙ୍ଗିପାରେ । ପ୍ରତିବର୍ଷ ହେଉଥିବା ଘୂର୍ଣ୍ଣିଝଡ଼ ଅପେକ୍ଷା ଏହା ହାରାହାରି ଅପେକ୍ଷା ୮୩ ପ୍ରତିଶତ ଅଧିକ ହୋଇପାରେ । ଅର୍ଥାତ୍ ଏଗୁଡ଼ିକ ପୂର୍ବାପେକ୍ଷା ଅଧିକ କ୍ଷୟକ୍ଷତି ଘଟାଇପାରେ । ରିପୋର୍ଟରେ ଅକ୍ଟୋବର-ଡିସେମ୍ବର ପାଇଁ PDI (ପାୱାର ଡିସିପେସନ୍ ଇଣ୍ଡେକ୍ସ) ୧.୩୦ କୋଟି ଦର୍ଶାଯାଇଛି । ୧୯୮୨ ମସିହାରୁ ୨୦୨୫ ମଧ୍ୟରେ ହାରାହାରି PDI ୭୧ ଲକ୍ଷ ହୋଇଛି । ଏଠାରେ କହିରଖୁଛୁ କି, PDI ହେଉଛି ଏକ ବୈଜ୍ଞାନିକ ସ୍କେଲ୍ ଯାହା ଏକ ଘୂର୍ଣ୍ଣିଝଡ଼ର ବିନାଶକାରୀ କ୍ଷମତା, ଅବଧି ଏବଂ ସଂଖ୍ୟାକୁ ମିଶ୍ରଣ କରି ଏହାର ମୋଟ ଶକ୍ତି ଆକଳନ କରେ । PDIର ଏକକ ହେଉଛି ନଟ୍ସ କ୍ୟୁବ । ସରଳ ଭାଷାରେ କହିବାକୁ ଗଲେ, ଏଥର କେବଳ କେତେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇପାରେ ତାହା ନୁହେଁ, ବରଂ ସେମାନଙ୍କର ପବନ କେତେ ଶକ୍ତିଶାଳୀ ହେବ ଏବଂ କେତେ ଦିନ ପର୍ଯ୍ୟନ୍ତ ରହିବ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
---- ଇସ୍ରୋର ଚେତାବନୀ, ନଜର ରଖିଲା କେନ୍ଦ୍ର ----
ଇସ୍ରୋର ଚେତାବନୀ ପରେ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି । ପାଣିପାଗ ବିଭାଗ ଏବଂ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକର ବିପର୍ଯ୍ୟୟ ପରିଚାଳନା ବିଭାଗ ପରିସ୍ଥିତି ଉପରେ କଡ଼ା ନଜର ରଖିବା ଆରମ୍ଭ କରିଛନ୍ତି । ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଆଗାମୀ ଦିନରେ ପାଣିପାଗ ସତର୍କତା ଜାରି କରାଯିବ । ମତ୍ସ୍ୟଜୀବୀ ଏବଂ ସମୁଦ୍ରରେ କାମ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହିପରି ପାଣିପାଗ ପୂର୍ବାନୁମାନ ଗୁରୁତ୍ୱପୂର୍ଣ୍ଣ।