
ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସାମ୍ବାଦିକ ସମ୍ମିଳନୀ; ଦାବି ପୂରଣ ନ ହେଲେ କଂଗ୍ରେସର ତୀବ୍ର ଆନ୍ଦୋଳନ ଚେତାବନୀ।
କୋରାପୁଟ ଜିଲ୍ଲାରେ ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦାବିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପ ଠାରେ ସାମ୍ବାଦିକ ସମ୍ମିଳନୀ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ବର୍ତ୍ତମାନର ଶିକ୍ଷକ ନିଯୁକ୍ତି ନୀତିକୁ କଡ଼ା ସମାଲୋଚନା କରିଥିଲେ। ବିଧାୟକ ଶ୍ରୀ ବାହିନୀପତି କହିଥିଲେ ଯେ, କୋରାପୁଟ ଜିଲ୍ଲାରେ ଶିକ୍ଷକ ଭାବେ ନିଯୁକ୍ତି ପାଉଥିବା ଅନ୍ୟ ଜିଲ୍ଲାର ପ୍ରାର୍ଥୀମାନେ କିଛି ଦିନ ପରେ ମେଡିକାଲ ସାର୍ଟିଫିକେଟ ଦାଖଲ କରି ନିଜ ଜିଲ୍ଲାକୁ ବଦଳି ହୋଇ ଯାଉଛନ୍ତି। ଫଳରେ କୋରାପୁଟ ଜିଲ୍ଲାର ଅନେକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ି ରହୁଛି ଏବଂ ଏହାର ସିଧାସଳଖ ପ୍ରଭାବ ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ୁଛି।
ସେ କହିଥିଲେ, ପ୍ରତିଥର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲେ ପୁଣି ଅନ୍ୟ ଜିଲ୍ଲାର ପ୍ରାର୍ଥୀମାନେ ନିଯୁକ୍ତି ପାଉଛନ୍ତି ଏବଂ ପରେ ବଦଳି ହୋଇ ଚାଲିଯାଉଛନ୍ତି। ଏହି ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଜିଲ୍ଲା ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଲାଗୁ କରିବା ଆବଶ୍ୟକ ବୋଲି ସେ ଦାବି କରିଥିଲେ।
ବିଧାୟକ ସତର୍କ କରି କହିଥିଲେ ଯେ, ରାଜ୍ୟ ସରକାର ଯଦି ସ୍ଥାନୀୟ ଭିତ୍ତିକ ନିଯୁକ୍ତି ନୀତିରେ ଆବଶ୍ୟକ ପରିବର୍ତ୍ତନ ନ ଆଣନ୍ତି, ତେବେ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ନେଇ ତୀବ୍ର ଆନ୍ଦୋଳନ କରାଯିବ।
ଏହା ସହିତ ରାଜ୍ୟର ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ମଧ୍ୟ ଶ୍ରୀ ବାହିନୀପତି କଡ଼ା ସମାଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏଭଳି ତ୍ରୁଟିକୁ ତୁରନ୍ତ ସଂଶୋଧନ କରିବାକୁ ସେ ରାଜ୍ୟ ସରକାରଙ୍କୁ ଦାବି କରିଥିଲେ।
ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବହୁ ନେତା, ବୁଦ୍ଧିଜୀବୀ, ଶିକ୍ଷାବିଦ୍ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
।