
କୁହାଯାଏ ଶିକ୍ଷା ହେଉଛି ଉନ୍ନତ ସମାଜର ମୂଳଦୁଆ। କିନ୍ତୁ ଆଜି ବି ଏମିତି କିଛି ଗାଁ ରହିଛି, ଯେଉଁଠି ସ୍କୁଲକୁ ଯିବା ପାଇଁ କୁନି କୁନି ପିଲାଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡୁଛି। ବିକାଶର ବଡ଼ ବଡ଼ ଦାବି ମଧ୍ୟରେ ଶିକ୍ଷାର ଏହି ବାସ୍ତବ ଚିତ୍ର ପ୍ରଶାସନର ବିକାଶ ଦାବି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆସନ୍ତୁ ଦେଖିବା ଆମର ଏହି ସ୍ପେସିଆଲ ରିପୋର୍ଟ।
ଏହି ଦୃଶ୍ୟ ହେଉଛି ଅନୁଗୁଳ ବ୍ଲକର ବନ୍ତଳା ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଗାଁର। ଅନୁଗୁଳ ସଦର ମହକୁମାଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଥିବା ଏହି ଗାଁରେ ଆଜି ବି ଶିକ୍ଷା ପାଇଁ ସଂଘର୍ଷ ଜାରି ରହିଛି। ପ୍ରତିଦିନ ଅଙ୍ଗନୱାଡ଼ିରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଗଡତଇଳା ବିଦ୍ୟାଳୟକୁ ଯିବା ପାଇଁ ଏହି ନାଳ ପାର ହେବାକୁ ବାଧ୍ୟ ହେଉଛନ୍ତି।
ଖରାଦିନରେ କୌଣସି ପ୍ରକାରେ ପିଲାମାନେ ନାଳ ପାର ହୋଇ ସ୍କୁଲରେ ପହଞ୍ଚିଯାଉଥିବା ବେଳେ, ବର୍ଷା ଆସିଲେ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଏ। ନାଳରେ ପାଣି ବଢ଼ିଗଲେ ପ୍ରାୟ ତିନି ମାସ ଧରି ସ୍କୁଲକୁ ଯିବା ପ୍ରାୟ ଅସମ୍ଭବ ହୋଇପଡ଼େ। ଫଳରେ ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି ଏବଂ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି।
ଗ୍ରାମବାସୀଙ୍କ କହିବା କଥା, ବହୁବାର ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ନିକଟରେ ଏକ ଛୋଟ ପୋଲ ନିର୍ମାଣ ପାଇଁ ଦାବି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ। ବିକାଶର ଦାବି କାଗଜ କଲମରେ ସୀମିତ ରହିଥିବା ବେଳେ, ଏହାର ବାସ୍ତବ ଚିତ୍ର ଏହି ଗାଁରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।
ପ୍ରଶ୍ନ ଉଠୁଛି, ସ୍କୁଲକୁ ଯିବା ପାଇଁ କୁନି କୁନି ପିଲାଙ୍କୁ ଆଉ କେତେଦିନ ଏଭଳି ଜୀବନକୁ ବାଜି ଲଗାଇବାକୁ ପଡ଼ିବ? ପ୍ରଶାସନ କେବେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବ? ଏବଂ ଏହି ପିଲାମାନଙ୍କ ପାଇଁ କେବେ ନିରାପଦ ଯାତାୟାତର ବ୍ୟବସ୍ଥା ହେବ ତାହା ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ । #CMOOdisha #MohanMajhi #suryabanshisuraj #nityananadagond #DharmendraPradhan #angulexpress #anugul #anguldistrictadministration
Anugul, Angul | Jul 6, 2026