
#ବଡ଼_ଖବର:
#ସ୍ଥଗିତ_ହେଲା_ବ୍ୟାଙ୍କ_ଧର୍ମଘଟ,
IBA–UFBU ବୈଠକ ପରେ ନିଷ୍ପତ୍ତି
ବ୍ୟାଙ୍କ ଧର୍ମଘଟକୁ ନେଇ ଆସିଲା ବଡ଼ ଖବର । ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ହେବାକୁ ଥିବା ପ୍ରସ୍ତାବିତ ଧର୍ମଘଟକୁ ସ୍ଥଗିତ କରାଯାଇଛି । ରବିବାର ରାତି ୯ଟା ୩୦ରେ Indian Banks' Association (IBA) ଓ United Forum of Bank Unions (UFBU) ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି। ଫଳରେ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଧର୍ମଘଟ ଆଉ ହେବ ନାହିଁ ।
ବୈଠକରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ଦୀର୍ଘଦିନର ଦାବି ସମେତ ଅନେକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ବିଶେଷକରି ଅବଶିଷ୍ଟ ଶନିବାରଗୁଡ଼ିକୁ ଛୁଟି ଘୋଷଣା କରିବା ପ୍ରସଙ୍ଗରେ IBA ଓ UFBU ମଧ୍ୟରେ ସହମତି ଅନୁସାରେ ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟି ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ ବିଚାର କରିବ ଏବଂ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବ। ବିଶେଷକରି ବ୍ୟାଙ୍କ ଗ୍ରାହକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସମସ୍ତଙ୍କ ପାଇଁ ଗ୍ରହଣୀୟ ସମାଧାନ ବାହାର କରିବାକୁ କମିଟି କାମ କରିବ।
ଏହି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ, କାରଣ ବ୍ୟାଙ୍କ କ୍ଷେତ୍ରରେ ୫ ଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବା ପାଇଁ ସମସ୍ତ ଶନିବାରକୁ ଛୁଟି ଦେବା ଦାବି ଦୀର୍ଘଦିନ ଧରି ରହିଛି । ଏହାର ଅନ୍ତିମ ରୂପ ନେଇ ଏବେ ଉଚ୍ଚସ୍ତରୀୟ କମିଟି ଆଲୋଚନା କରିବ । ସେହିପରି Performance Linked Incentive (PLI) Schemeକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ବିଶେଷକରି Scale IV ଓ ତା'ଠାରୁ ଉପର ପାହ୍ୟାର ଅଧିକାରୀଙ୍କ ପାଇଁ ଲାଗୁ ହେଉଥିବା PLI Schemeରେ ପରିବର୍ତ୍ତନ ନେଇ ଆଲୋଚନା ଆରମ୍ଭ ହେବ। ୟୁନିୟନ୍ ଓ ଆସୋସିଏସନ୍ଗୁଡ଼ିକ ଉଠାଇଥିବା ଆପତ୍ତିକୁ ବିଚାର କରି IBA ପକ୍ଷରୁ ସରକାରଙ୍କୁ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଦେବା ଦିଗରେ ଆଗକୁ ବଢ଼ାଯିବ।
ଏହାସହ ୮ ମାର୍ଚ୍ଚ ୨୦୨୪ର ମିନିଟ୍ସରେ ଉଲ୍ଲେଖ ଥିବା ଅବଶିଷ୍ଟ ପ୍ରସଙ୍ଗଗୁଡ଼ିକ ମଧ୍ୟ IBA ଓ UFBU ମଧ୍ୟରେ ଆଲୋଚନା ହେବ। ଏହି ବକେୟା ପ୍ରସଙ୍ଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଉଭୟ ପକ୍ଷ ଆଲୋଚନା ଜାରି ରଖିବେ। ଏସବୁ ପ୍ରସଙ୍ଗରେ ଆଲୋଚନା ଓ ସମାଧାନ ପାଇଁ ରାସ୍ତା ଖୋଲିବା ପରେ UFBU ପକ୍ଷରୁ ପ୍ରସ୍ତାବିତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଏବଂ ଧର୍ମଘଟକୁ ସ୍ଥଗିତ ରଖିବାକୁ ସହମତି ଦିଆଯାଇଛି। ତେଣୁ ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ହେବାକୁ ଥିବା ଧର୍ମଘଟ ବର୍ତ୍ତମାନ ହେବ ନାହିଁ । ଉଲ୍ଲେଖଯୋଗ୍ୟ, ଧର୍ମଘଟ ହେଲେ ବ୍ୟାଙ୍କ ଶାଖାର ସାଧାରଣ କାରବାର ପ୍ରଭାବିତ ହେବାର ଆଶଙ୍କା ଥିଲା । ବିଶେଷକରି ସେପ୍ଟେମ୍ବର ଶେଷ ତାରିଖ ହୋଇଥିବାରୁ ବ୍ୟାଙ୍କିଂ କାରବାର ଉପରେ ଏହାର ପ୍ରଭାବ ନେଇ ଗ୍ରାହକ ଓ ବ୍ୟାଙ୍କ କ୍ଷେତ୍ରରେ ଚିନ୍ତା ରହିଥିଲା । ଏବେ ଧର୍ମଘଟ ସ୍ଥଗିତ ହେବା ପରେ ଏହି ଆଶଙ୍କା ଦୂର ହୋଇଛି ।
#Bank #strike #Todaysnews #BankStrike
Mahima TV
Basta, Balasore | Sep 28, 2026