ବୀରମିତ୍ରପୁର ରେ ତାଲାବନ୍ଦ ଘରୁ ଚୋରି; ଚୋରି ପଛରେ ଶିକ୍ଷୟିତ୍ରୀ!ଶିକ୍ଷୟିତ୍ରୀଙ୍କ ସମେତ ୪ ଗିରଫ ୩ ଫେରାର। ସୁନା-ଟଙ୍କା-ଲାପଟପ୍ ଜବତ ।
ବୀରମିତ୍ରପୁର: ଘରେ ତାଲା ପଡ଼ିଥିଲା। ପରିବାର ଯାଇଥିଲେ ଦୂର ସହର କୋଲକାତା। ଏହାର ସୁଯୋଗ ନେଇ ତାଲା ଭାଙ୍ଗି ଘରେ କଳାକନା ବୁଲାଇଥିଲେ ଚୋର। ତେବେ ଘଟଣାର ଖିଅ ଖୋଜି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ବୀରମିତ୍ରପୁର ପୁଲିସ। ଏହି ଘଟଣାରେ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ନାବାଳକ ମଧ୍ୟ ଧରାପଡ଼ିଛି। ଗିରଫ ଅଭିଯୁକ୍ତଙ୍କଠାରୁ ସୁନା ଅଳଙ୍କାର, ନଗଦ ଟଙ୍କା ଓ ଲାପଟପ୍ ଜବତ ହୋଇଛି।
ସୂଚନା ଅନୁସାରେ, ବୀରମିତ୍ରପୁର ଥାନା ଅନ୍ତର୍ଗତ ରାଏବଗା ରୋଡ୍ ଅଞ୍ଚଳରେ ସବିର ହାସନ ପରିବାର ସହ ରହୁଥିଲେ। ମା'ଙ୍କ ଅତ୍ୟେଷ୍ଟି କ୍ରିୟା ପାଇଁ ସେ ପରିବାର ସହ କୋଲକାତା ଯାଇଥିଲେ। ଘରେ ପଡ଼ିଥିଲା ତାଲା। ଏହି ସୁଯୋଗକୁ ଚୋରମାନେ ହାତଛଡ଼ା କରିନଥିଲେ।
ପରିବାର ଘରକୁ ଫେରିବା ପରେ ଦେଖିଥିଲେ, ଘରରୁ ଚୋରି ହୋଇଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ। ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର, ୧ ଲକ୍ଷ ଟଙ୍କା ନଗଦ ଏବଂ ଏକ ଲାପଟପ୍ ଚୋରି ହୋଇଥିବା ଜଣାପଡ଼ିଥିଲା। ଏନେଇ ସବିର ବୀରମିତ୍ରପୁର ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ପୁଲିସ ତଦନ୍ତକୁ ଜୋରଦାର କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ଏଥିସହ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଗଠନ କରାଯାଇଥିଲା ସ୍ୱତନ୍ତ୍ର ପୁଲିସ ଟିମ୍।
ତଦନ୍ତ ବେଳେ ପୁଲିସକୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ସୁରାକ୍। ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶେଷରେ ଦୁଇ ଜଣ ମହିଳାଙ୍କ ସମେତ ୪ ଜଣଙ୍କୁ ପୁଲିସ କାବୁ କରିଥିଲା। ଏମାନଙ୍କ ସହ ଜଣେ ନାବାଳକ ମଧ୍ୟ ଧରାପଡ଼ିଥିବା ପୁଲିସ ପକ୍ଷରୁ କୁହାଯାଇଛି।
ତେବେ ଏହି ଚୋରି ଘଟଣାରେ ଆହୁରି ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ସହ ଚୋରି ହୋଇଥିବା ଅନ୍ୟ ସାମଗ୍ରୀ ଉଦ୍ଧାର ପାଇଁ ପୁଲିସର ତନାଘନା ଜାରି ରହିଛି।
ବୀରମିତ୍ରପୁର ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।