
ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ନୂଆ ମୋଡ଼: ମାଆଙ୍କ ସାଂଘାତିକ ଅଭିଯୋଗ, 'ପ୍ରେମିକ ଭୀମସେନ ଓ ସ୍ୱାତୀ ମିଶି କଲେ ହତ୍ୟା'
କଟକ (ଜନମୁଖ): ବାଲେଶ୍ୱରସ୍ଥିତ ଫକୀରମୋହନ ମେଡିକାଲ କଲେଜର ତୃତୀୟ ବର୍ଷର ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ଘଟଣା ଏବେ ଏକ ନୂଆ ଏବଂ ସମ୍ବେଦନଶୀଳ ମୋଡ଼ ନେଇଛି। ପୋଲିସର ପ୍ରାଥମିକ ସନ୍ଦେହ ଆତ୍ମହତ୍ୟା ଥିବାବେଳେ, ଚନ୍ଦ୍ରିକାଙ୍କ ମାଆ ଏବେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।
ଚନ୍ଦ୍ରିକାଙ୍କ ମାଆ, ଏକ ସମ୍ବାଦିକ ସମ୍ମିଳନୀରେ ଭାବବିହ୍ୱଳ ହୋଇ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ କେବେବି ଆତ୍ମହତ୍ୟା କରିପାରିବ ନାହିଁ। ଏହି ମୃତ୍ୟୁ ପଛରେ ଚନ୍ଦ୍ରିକାଙ୍କ 'ପ୍ରେମିକ' ଭୀମସେନ ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀ ସ୍ୱାତୀଙ୍କ ସମ୍ପୃକ୍ତି ରହିଛି। "ଭୀମସେନ ଏବଂ ସ୍ୱାତୀ ମିଶି ମୋ ଝିଅକୁ ହତ୍ୟା କରିଛନ୍ତି, ଏବଂ କାଠଯୋଡ଼ି ନଦୀକୁ ଫିଙ୍ଗି ଦେଇଛନ୍ତି," ବୋଲି ସେ ଦୃଢ଼ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତକାଲି ସକାଳେ କାଠଯୋଡ଼ି ନଦୀର ବାଲିଶଯ୍ୟାରୁ ଚନ୍ଦ୍ରିକାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଏହାକୁ ପ୍ରଥମେ ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିଲା ଏବଂ ପ୍ରେମ ସମ୍ପର୍କରୁ ଏପରି ଘଟିଥିବା ଆଶଙ୍କା କରିଥିଲା। ବାରଙ୍ଗ ପୋଲିସ ଏହି ଅଭିଯୋଗକୁ ଗୁରୁତର ସହ ନେଇ ତଦନ୍ତର ଦିଗକୁ ବଦଳାଇ ଦେଇଛି। ସୁଇସାଇଡ୍ ଆଙ୍ଗେଲ୍ ସହ ହତ୍ୟା ଆଙ୍ଗେଲ୍ରୁ ମଧ୍ୟ ତଦନ୍ତ ଜାରି ରଖିଛି। ଭୀମସେନ ଏବଂ ସ୍ୱାତୀଙ୍କୁ ପୋଲିସ ଶୀଘ୍ର ଜେରା କରିବାର ସମ୍ଭାବନା ରହିଛି। "ଜନମୁଖ" ଏହି ଖବରର ପଲ୍ପଲ୍ ଅପ୍ଡେଟ୍ ଆପଣଙ୍କୁ ଦେବା ପାଇଁ ଚେଷ୍ଟା କରୁଛି।
#angulexpress #kathajodi #Chandrikahembr #Odisha #MBBSstudent #mysterydeath
Anugul, Angul | Jun 6, 2026