କେନ୍ଦ୍ର ବଜେଟକୁ ନେଇ ପୁରା ଖପ୍ପା ହୋଇଗଲେ ନବୀନ, ବାସ୍ ଏହି ନିଷ୍ପତ୍ତିକୁ କଲେ ସ୍ୱାଗତ
Odisha, India | Feb 1, 2026 କେନ୍ଦ୍ର ବଜେଟକୁ ନେଇ ପୁରା ଖପ୍ପା ହୋଇଗଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବଜେଟ ଓଡ଼ିଶାବାସୀଙ୍କ ପାଇଁ କୌଣସି ଉଲ୍ଲେଖନୀୟ ଲାଭ ପ୍ରଦାନ କରୁନାହିଁ ବୋଲି କହିଛନ୍ତି ନବୀନ । ସେ କହିଛନ୍ତି, ଡବଲ ଇଞ୍ଜିନ ସରକାରଠାରୁ ଓଡ଼ିଶାବାସୀ ଭିତ୍ତିଭୂମିର ବିକାଶ, ନିଯୁକ୍ତି ସୁଯୋଗ ଇତ୍ୟାଦି ଆଶା ରଖିଥିଲେ । କିନ୍ତୁ ଏହି ବଜେଟରେ ରାଜ୍ୟକୁ ଅତି କମ୍ ପ୍ରାପ୍ୟ ମିଳିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ୭ଟି High-Speed Rail Corridorsରେ ଓଡ଼ିଶାର ସ୍ଥାନ ନାହିଁ । ସେହିପରି ଓଡ଼ିଶା ବିଜେପି ପୂର୍ବରୁ Bhubaneswar Metro ପ୍ରକଳ୍ପକୁ ମଧ୍ଯ ବନ୍ଦ କରିଦେଇଥିଲା । ଆହୁରି ମଧ୍ଯ National Waterways ଘୋଷଣା ଏକ ଦଶନ୍ଧି ପୁରୁଣା ପ୍ରସ୍ତାବ, କିନ୍ତୁ ଏହାର କୌଣସି ଅଗ୍ରଗତି ହେଉନଥିବା କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିରୋଧୀ ଦଳ ନେତା । ଓଡ଼ିଶାରୁ କେବଳ ଏହାର ପ୍ରାକୃତିକ ସମ୍ପଦ ନେବା ପାଇଁ ବ୍ୟବସ୍ଥା ହୋଇଛି, କିନ୍ତୁ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ସମ୍ବଳ ବଣ୍ଟରରେ ସମ୍ପୂର୍ଣ୍ଣ ଅବହେଳା କରାଯାଉଥିବା ନବୀନ କହିଛନ୍ତି । ତେବେ ଓଡ଼ିଶାରେ ରେୟାର୍ ଆର୍ଥ କରିଡର୍ (Rare Earth Corridor) ସ୍ଥାପନ ପ୍ରସ୍ତାବକୁ ସେ ସ୍ୱାଗତ କରିଛନ୍ତି ।