ନିଆଁ ଲାଗି ୧୦ ଏକର ପାଳଗଦା ନଷ୍ଟ, ବୈପାରିଗୁଡା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଖିଲଗୁଡା ଗ୍ରାମର ଏକ ଖଳାରେ ନିଆଁ ଲାଗିଯିବାରୁ ୧୦ ଏକର ଜମିର ପାଳଗଦା ନଷ୍ଟ ହୋଇଯାଇଛି। ଆଜି ଅପରାହ୍ନ ଚାରିଟା ସମୟରେ ଏଭଳି ଘଟିଛି,ସୂଚନା ଅନୁଯାୟୀ, ଗ୍ରାମର ଶିବ ନାୟକ ନିଜ ଜମିରେ ଧାନ ଅମଳ ପରେ ଖଳାରେ ପାଳଗଦା କରି ରଖିଥିଲେ। କୌଣସି କାରଣରୁ ହଠାତ୍ ପାଳଗଦାରେ ନିଆଁ ଲାଗି ଯାଇଥିଲା। ଏହା ଦେଖିବା ପରେ ଗ୍ରାମବାସୀ ବୈପାରିଗୁଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ।